ବନ୍ଦ କରନ୍ତୁ

ଇତିହାସ

ଆଧୁନିକ ଦେବଗଡ ଜିଲ୍ଲା ଏକଦା ବାମଣ୍ଡା ରାଜ୍ୟ ନାମରେ ବିଦିତ ଥିଲା । ଏହି ଜିଲ୍ଲା ମଧ୍ୟରେ ଥିବା କିଛି ଶିଳାଲିପି, ପ୍ରସ୍ତର ଉପକରଣ ଆବିଷ୍କୃତ ହୋଇଛି, କିନ୍ତୁ ପ୍ରତ୍ନତତ୍ତ୍ଵବିତ୍ ମାନେ ଏହି ସବୁ ଆବିଷ୍କୃତ ସାମଗ୍ରୀ ଉପରେ ସେମିତି କିଛି ବିଶେଷ ଆଲୋକପାତ କରି ପାରିନାହାନ୍ତି । ସେହି ଦିଗଟି ବର୍ତ୍ତମାନ ମଧ୍ୟ ଗବେଷଣା ସାପେକ୍ଷ ।

ପଞ୍ଚମ ଶତାବ୍ଦୀ ସମୟରେ ମରହଟ୍ଟା ମାନଙ୍କ ଦ୍ଵାରା ଶାସିତ ଏହି ଭୂଖଣ୍ଡ, ସୃଜନଶୀଳ କଳାକାର ମାନଙ୍କ ପାଇଁ ଅନୁକୂଳ ଥିଲା ।

ମରହଟ୍ଟାମାନଙ୍କ ଶାସନ ପରେ ଗଙ୍ଗବଂଶୀୟ ମାନଙ୍କ ରାଜତ୍ଵ କାଳରେ ଦେବଗଡ ସହର ବାମଣ୍ଡା ରାଜ୍ୟର ରାଜଧାନୀ ଥିଲା । ଏହି ବଂଶର ରାଜା ବାସୁଦେବ ସୁଢଳ ଦେବଙ୍କ ରାଜତ୍ଵ କାଳରେ ରାଜ୍ୟ ସବୁ କ୍ଷେତ୍ରରେ ଉନ୍ନତି କରିଥିଲା । ୧୮୮୬ ମସିହାରେ ଜଗନ୍ନାଥ ବଲ୍ଲଭ ପ୍ରେସ ନିର୍ମିତ ହେବା ଦ୍ଵାରା ଯୋଗାଯୋଗ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ବିପ୍ଲବ ଆସିଥିଲା । ୧୮୮୯ ମସିହାରେ “ସମ୍ବଲପୁର ହିତୈଷିଣୀ” ନାମକ ଏକ ପାକ୍ଷିକ ପତ୍ରିକା ପ୍ରକାଶିତ ହୋଇଥିଲା । ତାଙ୍କ ରାଜତ୍ଵ ସମୟରେ କାରାଗାର, ପୋଲିସ ବ୍ୟବସ୍ଥା, ଡାକ ବ୍ୟବସ୍ଥା, ଚିକିତ୍ସାଳୟ, ଜଳସେଚନ ବ୍ୟବସ୍ଥା ଆଦିର ଅୟମାରମ୍ଭ ହୋଇଥିଲା । ୧୯୦୦ ମସିହାରେ ରାଜାଙ୍କର ଦୁରଭାଷ ବ୍ୟବସ୍ଥା ପ୍ରାୟ ୭୮ ମାଇଲ ଦୈର୍ଘ୍ୟ ପରିବ୍ୟାପ୍ତ ଥିଲା ଏବଂ ବାମଣ୍ଡାରୁ ବାରକୋଟ ପର୍ଯ୍ୟନ୍ତ ବିସ୍ତୃତ ଥିଲା, ଯାହାକି ସେ ସମୟର ଭାରତରେ ବୃହତ୍ତମ ଥିଲା । ବାମଣ୍ଡା ରାଜ୍ୟର ନିଜସ୍ଵ ଡାକ ବ୍ୟବସ୍ଥା ରହିଥିଲା ଏବଂ ଏହା ବ୍ରିଟିଶ ଡାକ ବ୍ୟବସ୍ଥା ସହ ସହବନ୍ଧିତ ହୋଇଥିଲା ୧୮୯୫ ମସିହାରେ । ସାର୍ ବାସୁଦେବ ସୁଢଳ ଦେବ ନିଜ ରାଜ୍ୟରେ ନିଜସ୍ଵ ଡାକ ଟିକଟ ତଥା କାଗଜ ତିଆରି ଟଙ୍କା ର ପ୍ରବର୍ତ୍ତନ କରାଇଥିଲେ ।

ତାଙ୍କ ପରେ, ତାଙ୍କର ସୁଯୋଗ୍ୟ ପୁତ୍ର ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ, ନିଜ ପିତାଙ୍କ ପ୍ରଗତିମୂଳକ କାର୍ଯ୍ୟକୁ ଆହୁରି ଆଗେଇ ନେଇଥିଲେ । ବିଜ୍ଞାନ ପ୍ରେମୀ ରାଜା ସଚ୍ଚିଦାନନ୍ଦ ନିଜ ରାଜ୍ୟରେ କୋରଡକୋଟ ଠାରେ ଜଳ ବିଦ୍ୟୁତ୍ କେନ୍ଦ୍ର(୧୯୧୬), ରମ୍ଭେଇ ଠାରେ ଯନ୍ତ୍ର ଚାଳିତ ଲୁଗା କଳ, ଚିନି କଳ(୧୯୦୮) ଇତ୍ୟାଦିର ନିର୍ମାଣ କରାଇଥିଲେ ।

ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବଙ୍କ ସମୟରେ, ୧୯୪୮ ମସିହା ଜାନୁୟାରୀ ମାସ ୧ ତାରିଖ ଦିନ ବାମଣ୍ଡା ରାଜ୍ୟ, ନୂତନ ଭାବରେ ସ୍ଵାଧୀନ ହୋଇଥିବା ଭାରତ ରାଷ୍ଟ୍ର ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ଆଧୁନିକ ଓଡିଶାର ତଦାନୀନ୍ତନ ସମ୍ବଲପୁର ଜିଲ୍ଲାର ଏକ ଅଂଶ ରୂପେ ନୂତନ ପରିଚୟ ଲାଭ କରିଥିଲା ।