ବନ୍ଦ କରନ୍ତୁ

ଐତିହ

ଦେବଗଡ ଜିଲ୍ଲାରେ ଅବସ୍ଥିତ ଐତିହ ସ୍ଥଳମାନଙ୍କର ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା । 

ବସନ୍ତ ନିବାସ

୧୯୦୮ ମସିହାରେ ରାଜକବି ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଦ୍ଵାରା ପ୍ରଧ।ନପାଟର ପଶ୍ଚାତପଟରେ ଭୂମି ଠାରୁ ୧୬୫ ଫୁଟ ଉଚ୍ଚତାରେ ଏହି ଦ୍ରୁଷ୍ଟି ଆକର୍ଷଣକାରୀ ନିବାସକୁ ନିର୍ମିତ କରାଇଥିଲେ । ରାଜକୀୟ ମର୍ଯ୍ୟାଦା ସ୍ୱରୂପ ବିଭିନ୍ନ ଅତିଥି ତଥା ଭ୍ରମଣକାରୀ ,କବି ,ଲେଖକ ଆଦିଙ୍କ ନିମିତ୍ତ ଏହା ନିର୍ମାଣ କରଯାଇଥିଲା । ଏହି ନିବାସକୁ ଆବଦ୍ଧ କରିରହିଥିବା ପ୍ରାଚୀର ମାନଙ୍କରେ ଥିବା ସ୍ତମ୍ବ ଗୁଡିକରେ ମାର୍ବଲ ଫଳକ ରହିଛି । ଏହି ଫଳକରେ କବି ଓ ଲେଖକଙ୍କ ଦ୍ଵାରା ଗାନ କରାଯାଉଥିବା ଗୀତର ମୁଖ୍ୟ ଅଙ୍ଗ ଗୁଡିକ ଲିପିବଦ୍ଧ କରାଯାଇଅଛି । ଭ୍ରମଣକାରୀମାନେ ଆସିଲେ ଏସବୁ ପାଠ କରିଥାନ୍ତି । ଅନୁମାନ କରାଯାଏ ସତେ ଯେପରି ବସନ୍ତ ନିବାସ ନିମ୍ନ ଭାଗରେ ଥିବା ସହରଟିକୁ ନିର୍ଦ୍ଦେଶ ଦେଇ ପରିଚାଳନା କରୁଛି । ଏଠାରେ ଦୁଇଟି ବଙ୍ଗଳା ରହିଛି । ସରକାରୀ ଉଚ୍ଚ କର୍ମଚାରୀ ତଥା ଅତିଥି ମାନଙ୍କ ରହିବା ପାଇଁ ଏଠାରେ ସୁବନ୍ଦୋବସ୍ତ କରାଯାଇଛି ଏବଂ ଏହି ବଙ୍ଗଳା ରାଜ୍ୟ କାର୍ଯ୍ୟନିର୍ବାହୀ ସଂସ୍ଥା ବିଭାଗ ତତ୍ତ୍ବାବଧାନରେ ପରିଚାଳନା ହେଉଅଛି ।

ଲଳିତ ବସନ୍ତ

ବସନ୍ତ ନିବାସ ନିକଟରେ ପ୍ରଧ।ନପାଟ ପର୍ବତ।ଦେଶର ଆଉ ଏକ ନିବାସ “ଲଳିତ ବସନ୍ତ” ନାମରେ ଅଛି । ଏହା ମଧ୍ୟ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ୧୯୧୦ ମସିହାରେ ରାଜକୀୟ ମର୍ଯ୍ୟାଦାରେ ବସବାସ ପାଇଁ ନିର୍ମାଣ କରାଇଥିଲେ । ଏହାର କାରୁକାର୍ଯ୍ୟ ବସନ୍ତ ନିବାସ ପରି। ଭ୍ରମଣକାରୀମାନେ ଏଠାକୁ ପରିଭ୍ରମଣରେ ଆସିଥାନ୍ତି । ଦେବଗଡ ସହରର ପ୍ରକୃତିକ ଦୃଶ୍ୟ ତଥା ସୌନ୍ଦର୍ଯ୍ୟ ଏଠାରୁ ଅନୁଭବ କରିହୁଏ । ଏଠାରେ ବସବାସ ନିମନ୍ତେ ଏକମାତ୍ର ପ୍ରକୋଷ୍ଟ ଅଛି । କିନ୍ତୁ ଏଠାରେ ଆଧୁନିକ ଶୈଳୀରେ ସମସ୍ତ ସୁବିଧା ଯୋଗାଇ ଦିଆ ଯାଇଅଛି । ସହରର କୋଳାହଳ ଠାରୁ କିଛି ଶାନ୍ତି ଲାଭ ନିମନ୍ତେ ବହୁ ଲୋକେ ଏଠାକୁ ଆସି ପରିତୃପ୍ତ ହୋଇଥାନ୍ତି ।

ଦେବଗଡ ରାଜବାଟୀ

ଏହା ଏକ ଐତିହାସିକ କୀର୍ତ୍ତୀସ୍ତମ୍ଭ । ବର୍ତ୍ତମାନର ପ୍ରତିୟମାନ ରାଜପ୍ରାସାଦ ଗଙ୍ଗ ରାଜବଂଶର ରାଜା ସାର ରାଜା ବାସୁଦେବ ସୁଢଳଦେବ ୧୮୯୬ ମସିହାରେ ନିର୍ମାଣ କରାଇଥିଲେ । ଏହି ରାଜପ୍ରାସାଦର ନିର୍ମାଣ କୌଶଳ ଥିଲା ଅତି ସ୍ଵତନ୍ତ୍ର । ସୁଉଚ୍ଚ ପ୍ରଚେରୀ ପରିବେଷ୍ଟିତ ରାଜପ୍ରାସାଦର କୋଠରୀ ,ଅବସର ବିନୋଦନକାରୀ ଗୃହ ,ଅଫିସ ଗୃହ ,ଷ୍ଟୋର ଗୃହ ଅତିଥିଶାଳା କଳା ଓ କଳାପ୍ରଦର୍ଶନର ଗୃହ ,ଗ୍ରନ୍ଥାଗାର ,ପରିଷଦବର୍ଗଙ୍କ କୋଠୋରୀ ,ରାଣୀମହଲ ,ରାଜଙ୍କର ରୋଷାଇ ବା ପାକଶାଳା ,ପୁରାତନ ବହିର ରକ୍ଷଣାଗୃହ ,ପୁରାତନ ସାମଗ୍ରୀ ରଖିବା ନିମନ୍ତେ ଘର ,ଗୁପ୍ତ ଗୃହ , ମା କନକ ଦୂର୍ଗାଙ୍କ ମନ୍ଦିର ଏସବୁକୁ ନେଇ ଏହି ରାଜପ୍ରାସାଦ ବାମଣ୍ଡା ଗଙ୍ଗବଂଶର ପ୍ରଶସ୍ତି ଆଖ୍ୟାନ କରେ ।ଏଠାରେ ରାଜକୁମାର ଓ ରାଜକୁମାରୀଙ୍କ ସୁବିଧା ନିମନ୍ତେ ଦୁଇ ମହଲା ଘର ନିର୍ମାଣ କରାଯାଇଥିଲା । ଏଠାରେ ପ୍ରାୟ ସମୟରେ ଲୋକମାନଙ୍କର ମନୋରଞ୍ଜନ ପାଇଁ ମେଳା ଓ ଉତ୍ସବମାନ ଆୟୋଜିତ ହେଉଥିଲା।

ରାଜା ବାସୁଦେବ ସୁଢଳଦେବଙ୍କ ଏକ ମାର୍ବଲ ତିଆରି ପ୍ରତିମୂର୍ତ୍ତୀ ରାଜପ୍ରାସାଦର ସମୁଖରେ ସ୍ଥାପିତ ହୋଇଅଛି । ଯାହା ବାମଣ୍ଡାର ପ୍ରାଚୀନ ଐତିହ୍ୟ ପ୍ରକାଶ କରିଥାଏ । ପ୍ରଥମରେ ବାମଣ୍ଡାର ରାଜଧାନୀ ଭୋଜପୁର ନିକଟରେ ଥିଲା । କାଳକ୍ରମେ ଏହା ସୁଗୁଡା, ପୁରୁଣାଗଡ ଏବଂ ସର୍ବଶେଷରେ ଦେବଗଡ ସହରରେ ଅବସ୍ଥାପିତ ହେଲା।

ସଭାଗୃହ

ରାଜପ୍ରାସାଦ ସମୁଖରେ ଏହି ସଭାଗୃହଟି ଲୌହସ୍ତମ୍ଭ ମାନଙ୍କରେ ଏକ ପାଶ୍ଚାତ୍ୟଶୈଳୀରେ ନିର୍ମିତ ହୋଇଥିଲା । ୧୯୪୦ ମସିହାରେ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଆଦ୍ଯ ରାଜତ୍ଵ ସମୟରେ ଏହି ସଭାଗୃହ ତିଆରି ହୋଇଥିଲା । ସଭାଗୃହକୁ ମଧ୍ୟଭାଗରେ ରଖାଯାଇ ଚତୁର୍ଦ୍ଦିଗରେ ପ୍ରସସ୍ଥ ଜାଗା ରଖାଯାଇଥିଲା ଯେଉଁଥିରେକି ମେଳା ଉତ୍ସବରେ ଅତୀତରେ ଲୋକମାନେ ଏକତ୍ରିତ ହୋଇପାରୁଥିଲେ । ଏହି ସ୍ଥାନରେ ରାଜମାନଙ୍କର ରାଜଦର୍ଶନ ,”ଟୀକା” ପ୍ରଦାନ ଉତ୍ସବ ଆୟୋଜିତ ହେଉଥିଲା । ବର୍ତ୍ତମାନ ଏହି ସ୍ଥାନରେ ସର୍ବସାଧାରଣଙ୍କ ବହୁମୂଖୀ କାର୍ଯ୍ୟରେ ନିଯୋଜିତ ହୋଇପାରୁଛି । ଯୋଗମେଳା, ସ୍ୱାସ୍ଥ୍ୟମେଳା ,ଆଲୋଚନାଚକ୍ର ଇତ୍ୟାଦି ଅନୁଷ୍ଠିତ ହେଉଅଛି। ଯାତ୍ରା ସମୟରେ “ମିନାବଜାର ” ଆୟୋଜିତ ହୋଇ ମହିଳା ଓ ଶିଶୁ ମାନଙ୍କର ଦୃଷ୍ଟିଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି । ୧୯୦୩ ରୁ ୧୯୧୬ ମସିହା ମଧ୍ୟରେ ରାଜାଙ୍କ ରାଜତ୍ଵ ସମୟର ଏକ ମହତ ଅବଦାନ ।

ଜଗନ୍ନାଥ ବଲ୍ଲବ ପ୍ରେସ

୧୮୮୬ ମସିହାରେ ରାଜା ସାର ରାଜା ବାସୁଦେବ ସୁଢଳଦେବ ଜଗନ୍ନାଥ ବଲ୍ଲଭ ନାମରେ ଏକ ପ୍ରିଣ୍ଟିଙ୍ଗ ପ୍ରେସ ,ମୁଦ୍ରାଯନ୍ତ୍ର ସ୍ଥାପନ କରିଥିଲେ । ସୁଲଭ ଦରରେ ବହୁ ପୁସ୍ତକର ମୁଦ୍ରଣ କରାଯାଉଥିଲା । ରାଜପରିଷଦ ଏବଂ ଡାକବିଭାଗ ତଥା ରାଜପ୍ରାସାଦ ନିକଟସ୍ଥ ଏହି ପ୍ରେସ ବର୍ତମାନ ଘରୋଇ ବସଷ୍ଟାଣ୍ଡ ନିକଟରେ ଅବସ୍ଥାପିତ । ସ୍ଵାଧୀନତା ପରେ ସରକାର ଏହି ପ୍ରେସକୁ ହାତକୁ ନେଇଥିଲେ । ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ରାଜତ୍ଵ ସମୟରେ ଏହି ପ୍ରେସଟି ବିଦ୍ୟୁତ ଶକ୍ତି ମାଧ୍ୟମରେ ପରିଚାଳିତ ହେଉଥିଲା । ୧୯୦୩ ମସିହାରେ ବାମଣ୍ଡା ରାଜ୍ୟରେ ପ୍ରଥମ ଜଳ ବିଦ୍ୟୁତ ଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା ।

ଦେବଗଡ କଚେରୀ କୋଠା

ଦେବଗଡର କଚେରୀ ଗୃହଟି ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ସମୟରେ ନିର୍ମିତ ହୋଇଥିଲା । ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରଶାସକ ମାନଙ୍କ ଏହି କଚେରୀ ହେଉଛି ଏକ ପ୍ରତୀକ । ଏହି ଗୃହର ନିର୍ମାଣ କୌଶଳ ସ୍ଵତନ୍ତ୍ର ଏବଂ ଅସାଧାରଣ । କଚେରୀ ସମ୍ମୁଖରେ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ଏବଂ ତାଙ୍କ ରାଣୀ ଡମ୍ବରୁଧର ପ୍ରିୟା ଦେବୀଙ୍କର ମାର୍ବଲ ନିର୍ମିତ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଅଛି । ଯାହାକି ସହରକୁ ଆସୁଥିବା ହଜାର ହଜାର ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ଏବଂ ରାଜା ଓ ରାଜା ସୁଢଳଦେବଙ୍କର ଐତିହ୍ୟ ଗୌରବ ମାନେ ପକାଇ ଦେଇଥାଏ ଓ ରାଜାମାନଙ୍କର ଶାସନ ଦକ୍ଷତା ପ୍ରତିପାଦନ କରିଥାଏ। ବର୍ତ୍ତମାନ ଏହି କୋଠାଗୃହଟି ଜିଲ୍ଲାର ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟ।ଳୟ ହୋଇଥିବା ସଙ୍ଗେସଙ୍ଗେ ଅନେକ ସରକାରୀ କାର୍ଯ୍ୟ।ଳୟ ଏଠାରେ ଥିବା ଅନ୍ଯାନ୍ଯ ବଖରା ମାନଙ୍କରେ ପରିଚାଳିତ ହେଉଅଛି । ଏଠାରେ ଜିଲ୍ଲାର ଜର୍ଜ ଏବଂ କଚେରୀ କାର୍ଯ୍ୟ ମଧ୍ୟ ପାଳନ ହେଉଅଛି।

ରାଜକୁମାର ଉଚ୍ଚ ଇଂରାଜି ବିଦ୍ୟାଳୟ /ରାଜା ବାସୁଦେବ ଉଚ୍ଚବିଦ୍ୟାଳୟ

ସାର୍ ରାଜା ବାସୁଦେବ ସୁଢଳଦେବଙ୍କ ଶ୍ରେଷ୍ଟ କୃତିତ୍ଵ ହେଉଛି ୧୮୮୨ ମସିହାରେ ଲାହୋର ସ୍ଥିତ ଇସଲାମିକ ମହାବିଦ୍ୟାଳୟ ଶୈଳୀରେ ଏହି ବିଦ୍ୟାଳୟର ପ୍ରତିଷ୍ଠା। ଏହି ବିଦ୍ୟାଳୟ ଗୃହ ନିର୍ମାଣରେ ୫୦ ହଜାର ଟଙ୍କା ଖର୍ଚ୍ଚରେ ୧୯୧୨ ମସିହାରେ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ କରାଇଥିଲେ । ଦେବଗଡ ସହରର ମଧ୍ୟଭାଗରେ ଏହା ଅବସ୍ଥିତ। ବାମଣ୍ଡାର ଉନ୍ନତ ,ଉକୃଷ୍ଟ ସାଂସ୍କୃତିକ ପରମ୍ପରାର ଏକ ନିଦର୍ଶନ । ବାମଣ୍ଡା ରାଜ୍ୟର ଅତୀତ ଗୌରବ ପ୍ରକାଶ କରିବାର ଏବଂ ଏହି ଗୃହର ନିର୍ମାଣ କୌଶଳ ବହୁ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ ।

ସଚ୍ଚିଦାନନ୍ଦ ଗ୍ରନ୍ଥାଗାର

୧୯୨୦ ମସିହାରେ ରାଜା ଦିବ୍ୟଶଙ୍କର ଦେବ ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ (ଯେ କି ଜଣେ ପ୍ରସିଦ୍ଧ କବି ଓ ବୈଜ୍ଞାନିକ ବୁଦ୍ଧିଶାଳୀ ମଣିଷ ଥିଲେ) ଏହି ଗ୍ରନ୍ଥାଗାରକୁ ନିର୍ମାଣ କରିଥିଲେ । ସେ ପଣ୍ଡିତ ମାନଙ୍କର ସାପ୍ତାହିକ ସଭା ଉପସ୍ଥାପନ କରି ଉଭୟ କଳା ଓ ବିଜ୍ଞାନର ଆଲୋଚନା କରୁଥିଲେ । ସେ ନିଜେ ସଂଗ୍ରହ କରିଥିବା ବହୁ ପୁସ୍ତକ ଏହି ଗ୍ରନ୍ଥାଗାରକୁ ଦାନ କରିଥିଲେ। ଲୋକମାନଙ୍କର ପଢିବାରେ ଆଗ୍ରହ ବଢାଇବା ନିମନ୍ତେ ଏପରି କରୁଥିଲେ । ସେ ତାଙ୍କର ରାଜପ୍ରସାଦରେ ଏକ ପରୀକ୍ଷାଗାର ନିର୍ମାଣ କରାଇଥିଲେ । ଯେଉଁଠି ଧାତବ ବିଜ୍ଞାନ ଏବଂ ଯାନ୍ତ୍ରିକ ବିଜ୍ଞାନ ବିଷୟରେ ଗବେଷଣା କରାଯାଉଥିଲା । ଏସବୁ ଆଜି ତାଙ୍କର ବୈଜ୍ଞାନିକ ଚିନ୍ତାଧାରା ଓ ବାମଣ୍ଡାର ଉଚ୍ଚ ଶିକ୍ଷାର ପରିଚୟ ପ୍ରଦାନ କରେ । ବାମଣ୍ଡା ରାଜପରିବାରର ଜ୍ଞାନପିପାସା ,ଜ୍ଞାନର ଆଦର ତଥା ପଣ୍ଡିତ ମାନଙ୍କର ସତ୍କାର ପାଇଁ ଏକଦା ଏହି ଦେବଗଡ “ବୁଧହଂସ କେଳିସର ” ନାମରେ ନାମିତ କରାଯାଇଥିଲା । ଯାହାର ମୂକ ସାକ୍ଷୀ ହେଉଛି ଏହି ଗ୍ରନ୍ଥାଗାର । ଏଠାରେ ୧୦୩୦୧ ସଂଖ୍ଯାର ପୁସ୍ତକ ସାଧାରଣ ପାଠକ ମାନଙ୍କ ନିମନ୍ତେ ଥିଲା। ଲୋକମାନଙ୍କୁ ଗବେଷଣା କାର୍ଯ୍ୟରେ ଏହି ପୁସ୍ତକ ଗୁଡିକ ବହୁ ସାହାଯ୍ୟ କରୁଥିଲା। ଏହା ଲୋକଙ୍କର ଜ୍ଞାନ ଉଦ୍ୟାନ ଥିଲା। ଏହି ଗ୍ରନ୍ଥାଗାରରେ ବହୁ ସଂଖ୍ଯାରେ ପୁସ୍ତକ ମହଜୁଦ ଥିଲା। ୨୫-୦୨-୧୯୧୦ ମସିହାରେ ଏହି ଗ୍ରନ୍ଥାଗାର ରାଜା ଦିବ୍ୟଶଙ୍କର ଦେବଙ୍କ ରାଜତ୍ଵ ସମୟରେ ସମ୍ବଲପୁରରେ ଥିବା ଇଂରେଜ ସରକାରଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା। ବର୍ତ୍ତମାନ ଏହି ଗ୍ରନ୍ଥାଗାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ପରିଚାଳିତ ହେଉଅଛି । ଏହା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଅଛି।

କୈଳାସ ରାଜପ୍ରାସାଦ

ଏହି ସୌଧଟି ରାଜା ଦିବ୍ୟଶଙ୍କର ଦେବ ୧୯୧୬ରୁ ୧୯୧୯ ମଧ୍ୟରେ ନିର୍ମାଣ କରିଥିଲେ । ଏହା ଦେବଗଡ ସହରଠାରୁ ୧୫କିଲୋମିଟର ଦୂରତାରେ ଜାତୀୟ ରାଜରାସ୍ତା ୪୯ ର ପାର୍ଶ୍ଵରେ ସୁନ୍ଦର ପର୍ବତ ପରିବେଷ୍ଠିତ ହୋଇଅଛି। ବାମଣ୍ଡାର ବହୁ ପୁରାତନ ରାଜାମାନେ ଏହି ପ୍ରସାଦକୁ ମଧୁଚନ୍ଦ୍ରିକା ନିମନ୍ତେ ଆସିଥିଲେ। ପାହାଡ ଓ ପର୍ବତ ମଧ୍ୟସ୍ଥ ଏହି ପ୍ରାସାଦ ଅତି ରମଣୀୟ ଅଟେ । ୨୦୦୪ମସିହାରେ ଓଡିଶା ସରକାର କୈଳାସ ରାଜପ୍ରସାଦକୁ ପରିବେଶ ସନ୍ତୁଳନ ସ୍ଥାନ ଭାବରେ ଚିନ୍ନିତ କରିଛନ୍ତି। ବହୁ ଦର୍ଶକ ଏଠାକୁ ଆସି ତାଙ୍କ ସମୟ ଅତିବାହିତ କରିଥାନ୍ତି। ଏଠାରେ ଥିବା ପ୍ରକୃତିକ ସୌନ୍ଦର୍ଯ୍ୟ ଦର୍ଶକ ମାନଙ୍କୁ କୋଳାହଳମୟ ପରିବେଶରୁ ମୁକ୍ତି ତଥା ଶାନ୍ତି ପ୍ରଦାନ କରିଥାଏ । ଏହା ପୁରାତନ କୀର୍ତ୍ତି , ରାଜକୀୟ ବିଶ୍ରାମାଗାର ତଥା ପଶୁ ଶିକାର ସ୍ଥଳୀ ଓ ଶୈବପୀଠ ଭାବେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରେ ।

କଳାଜିରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ଗୋଦାବରୀ ହ୍ରଦ

୧୮୯୧ ମସିହାରେ ଦେବଗଡ ସହରଠାରୁ ୧୬ କିଲୋମିଟର ବ୍ଯବଧାନରେ ବଳମ ଠାରେ ଉଭୟ କଳାଜିରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ଗୋଦାବରୀ ହ୍ରଦ ନିର୍ମିତ ହୋଇଥିଲା ।ଭ୍ରମଣକାରୀମାନଙ୍କ ପାଇଁ ଗୋଦାବରୀ ଏକ ଶାନ୍ତିପୂର୍ଣ ସ୍ଥାନ ଭାବରେ ଚିହ୍ନିତ । ଶୀତକାଳରେ ବହୁ ଭ୍ରମଣକାରୀ ପକ୍ଷୀ ଏହି ଜଳାଶ୍ରୟ କୂଳକୁ ଆସିଥାନ୍ତି । ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ଏହି ପର୍ବତାଦେଶରେ ଏକ ମନ୍ଦିର ଏବଂ ଏକ ଡାକବଙ୍ଗଳା ନିର୍ମାଣ କରାଇଥିଲେ । ଯାହା ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଦୃଢତା ଉପସ୍ଥାପନ କରିଥାଏ ।