ବନ୍ଦ କରନ୍ତୁ

ଜଳବାୟୁ

ଦେବଗଡ ଜିଲ୍ଲାର ଜଳବାୟୁ ସାଧାରଣତଃ ଗ୍ରୀଷ୍ମ ଋତୁରେ ଉତ୍ତପ୍ତ ଓ ଶୁଷ୍କ ତଥା ଶୀତ ଋତୁ ଆର୍ଦ୍ର ଅଟେ । ବର୍ଷା ଋତୁରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦ୍ଵାରା ବିକ୍ଷିପ୍ତ ବୃଷ୍ଟିପାତ ହୋଇଥାଏ । ଶୀତ ଋତୁ ନଭେମ୍ବର ଶେଷରୁ ଆରମ୍ଭ ହୋଇ ଫେବୃୟାରୀ ମାସ ଶେଷ ପର୍ଯ୍ୟନ୍ତ, ଗ୍ରୀଷ୍ମ ଋତୁ ମାର୍ଚ୍ଚ ମାସ ମଧ୍ୟଭାଗରୁ ଜୁନ୍ ମାସ ମଧ୍ୟଭାଗ ଯାଏ ଅନୁଭୂତ ହୋଇଥାଏ । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଜନିତ ବୃଷ୍ଟିପାତ ଜୁନ୍ ମାସ ମଧ୍ୟଭାଗରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ହୋଇଥାଏ । ମୌସୁମୀ ବାୟୁର ପରବର୍ତ୍ତୀ ସମୟ ଅର୍ଥାତ ଅକ୍ଟୋବର ଓ ନଭେମ୍ବର ମାସରେ ଫସଲ ଅମଳ କରାଯାଇଥାଏ ।

ଦେବଗଡ ଜିଲ୍ଲାର ବାର୍ଷିକ ହାରାହାରି ବୃଷ୍ଟିପାତ ୧୫୮୨ ମି.ମି. , ଯାହା ମଧ୍ୟରୁ ଶତକଡା ୮୬ ଭାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବା ସମୟରେ ହୋଇଥାଏ । ବଳକା ବୃଷ୍ଟିପାତ ବିକ୍ଷିପ୍ତ ଭାବରେ ପ୍ରାକ୍ ମୌସୁମୀ ତଥା ପଶ୍ଚାତ୍ ମୌସୁମୀ ବାୟୁ ସମୟରେ  ହୋଇଥାଏ । ଜୁଲାଇ ଓ ଅଗଷ୍ଟ ମାସରେ ସର୍ବୋଚ୍ଚ ବୃଷ୍ଟିପାତ ହୋଇଥାଏ । ପୂର୍ବ ତଥ୍ୟ ଅନୁଯାୟୀ ୧୯୬୧ ମସିହାରେ ସର୍ବୋଚ୍ଚ ବୃଷ୍ଟିପାତ ହୋଇଥିଲା ଯାହାକି ସ୍ଵାଭାବିକ ବୃଷ୍ଟିପାତର ଶତକଡା ୧୭୨ ଭାଗ । ସେହିପରିଭାବରେ ସର୍ବନିମ୍ନ ବୃଷ୍ଟିପାତ କ୍ରମାଗତ ଭାବେ ୧୯୨୩ ଓ ୧୯୨୪ ମସିହାରେ ହୋଇଥିଲା ଯାହାକି ସ୍ଵାଭାବିକ ବୃଷ୍ଟିପାତର ଶତକଡା ୬୦ ଭାଗ । ମୌସୁମୀ ବାୟୁ ଚଳନ ସମୟରେ ଆକାଶ ମେଘାଚ୍ଛନ୍ନ ଥାଏ । ଗ୍ରୀଷ୍ମ ଋତୁ ମଧ୍ୟଭାଗ ଓ ମୌସୁମୀ ବାୟୁ ପଶ୍ଚାତ୍ ମାସ ଗୁଡ଼ିକରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିଥାଏ । ବର୍ଷର ଅନ୍ୟ ସମୟରେ ଆକାଶ ସାଧାରଣତଃ ନିର୍ମଳ କିମ୍ବା ହାଲକା ମେଘାଚ୍ଛନ୍ନ ରହିଥାଏ ।

ଗ୍ରୀଷ୍ମ ଋତୁରେ ଦିନ ତାପମାତ୍ରା ମାର୍ଚ୍ଚ ମାସ ଆରମ୍ଭରୁ ମେ ମାସ ଶେଷ କିମ୍ବା ପ୍ରାରମ୍ଭିକ ଜୁନ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବରେ ବୃଦ୍ଧି ଘଟେ । ହାରାହାରି ଦିନ ତାପମାତ୍ରା ପ୍ରାୟ ୪୧º ସେଲସିୟସ୍ ଓ ରାତ୍ରି ସମୟରେ ତାପମାତ୍ରା ହାରାହାରି ୨୬º ସେଲସିୟସ୍ ରହେ । ପ୍ରାକ୍ ମୌସୁମୀ କାଳରେ ଅଧିକତମ ତାପମାତ୍ରା ୪୫º ରୁ ୪୭º ସେଲସିୟସ୍ ପାଖାପାଖି ରହେ । ଜୁନ୍ ମାସ ଦ୍ଵିତୀୟ ସପ୍ତାହ ପରେ ପରେ ମୌସୁମୀ ବାୟୁ ସକ୍ରିୟ ହେଲା ପରେ ଦିନ ତାପମାତ୍ରାରେ ବହୁତ କ୍ଷୟ ହୁଏ ।

ଡିସେମ୍ବର ଏବଂ ଜାନୁୟାରୀ ମାସ ବର୍ଷର ଶୀତଳତମ ସମୟ । ନିମ୍ନତମ ତାପମାତ୍ରା ୭º ରୁ ୧୨º ସେଲସିୟସ୍ ରହେ । ଉତ୍ତର ଭାରତରେ ଅଶାନ୍ତ ପଶ୍ଚିମାବାୟୁ ଚଳନଜନିତ କାରଣରୁ ଶୀତ ଋତୁରେ ବେଳେ ବେଳେ ଅଳ୍ପ ସମୟ ପାଇଁ ନିମ୍ନତମ ତାପମାତ୍ରା ୪º ସେଲସିୟସ୍ କୁ କମି ଆସେ ।

ବାୟୁର ବେଗ ସାରା ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ହୋଇଥାଏ । ମାତ୍ର ଗ୍ରୀଷ୍ମ ଋତୁରେ ଘୂର୍ଣ୍ଣି ଝଡ ସମୟରେ ବାୟୁ ବେଗ ସାମୟିକ ଭାବରେ ତୀବ୍ର ହୋଇଥାଏ । ପଶ୍ଚାତ୍ ମୌସୁମୀ ସମୟରେ ମୁଖ୍ୟ ଭାବରେ ଉତ୍ତର କିମ୍ବା ଉତ୍ତର ପୂର୍ବ ଦିଗରୁ ବାୟୁ ପ୍ରବାହିତ ହୋଇଥାଏ । ମୌସୁମୀ ବାୟୁ ସକ୍ରିୟ ହେବା ପରେ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହୋଇଥାଏ ଏବଂ ଏହିପରି ମେ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଲାଗିରହେ । ବର୍ଷା ଋତୁରେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ପଶ୍ଚିମ ଦିଗକୁ ଗତି କରିବା ଦ୍ଵାରା ଘନ ବୃଷ୍ଟି ସହ ତୀବ୍ର ଗତିରେ ପବନ ହୋଇଥାଏ । ସମୟେ ସମୟେ ଜିଲ୍ଲାକୁ ଲଘୁଚାପ ଜନିତ ବାତ୍ୟା ସାମନା କରିବାକୁ ହୋଇଥାଏ । ଜିଲ୍ଲାରେ ଗ୍ରୀଷ୍ମ ଋତୁ ଶେଷ ଭାଗରେ ଓ ଅକ୍ଟୋବର ପ୍ରାରମ୍ଭରେ ପ୍ରାୟତଃ ଅପରାହ୍ନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥାଏ ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୟରେ ଆପେକ୍ଷିକ ଆର୍ଦ୍ରତା ସାଧାରଣତଃ ଶତକଡା ୭୫ ଭାଗ ରୁ ଅଧିକ ଥାଏ । ମୌସୁମୀ ପଶ୍ଚାତ୍ ଆର୍ଦ୍ରତା କମିକମି ଯାଏ , ଶୀତଋତୁରେ ଜଳବାୟୁ ସ୍ୱାସ୍ଥ୍ୟପ୍ରଦ ହୋଇଯାଏ । ଗ୍ରୀଷ୍ମଋତୁ ହେଉଛି ବର୍ଷର ଶୁଷ୍କତମ ସମୟ ଯେତେବେଳେ ଆପେକ୍ଷିକ ଆର୍ଦ୍ରତା ଅପେକ୍ଷାକୃତ କମ ଥାଏ , ଅପରାହ୍ନରେ ଆର୍ଦ୍ରତା ସାଧାରଣତଃ ଶତକଡା ୨୫ ରୁ ୩୦ ଥାଏ ।