ପର୍ବ ପର୍ବାଣୀ
ପର୍ବପର୍ବାଣୀ ଗୋଟିଏ ଜାତିର ସାଂସ୍କୃତିକ ତଥା ସାମାଜିକ ଗାଥା ବହନ କରେ । ଏହି ପର୍ବପର୍ବାଣୀମାନଙ୍କରେ ରଙ୍ଗୀନ୍ ବେଶ ପୋଷାକ, ସାମୁହିକ ନୃତ୍ୟ, ଲୋକ ଗୀତ ଓ ଲୋକ ବାଦ୍ୟମାନଙ୍କର ପ୍ରଚଳନ ହୋଇଥାଏ ଯାହାକି କେଉଁ ଆବହମାନ କାଳରୁ ପ୍ରଚଳିତ ହୋଇ ଆସିଥାଏ । ଦେବଗଡ ଜିଲ୍ଲାର ଲୋକ ପର୍ବ ଭିତରେ ନୂଆଖାଇ, କରମାସନୀ, ପୁଅ ଜିଊନ୍ତିଆ, ଭାଇ ଜିଊନ୍ତିଆ,ରକ୍ଷା ବନ୍ଧନ, ଜନ୍ମାଷ୍ଟମୀ, ଦଶହରା, ଦୀପାବଳୀ, ଛାଡଖାଇ ଏବଂ ପୁଷପୁନି ଇତ୍ୟାଦି ମୁଖ୍ୟ, ଯାହାକି ସାଧାରଣ ଲୋକଙ୍କ ଜୀବନ, ଜୀବିକା ତଥା ବିଶ୍ବାସ ଉପରେ ଗଭୀର ପ୍ରଭାବ ପକାଇଥାଏ ।
ସ୍ଥାନ ବିଶେଷରେ ଦେବଗଡର ଗଣେଶ ପୂଜା, ପୁରୁଣାଗଡର ରଥଯାତ୍ରା, କଲାର ଚନ୍ଦନ ଯାତ୍ରା, ଝାଡେଶ୍ଵର ମନ୍ଦିରର ଶିବରାତ୍ରି, ବସାଲୋଇର ଠାକୁରାଣୀ ଯାତ୍ରା, କଣ୍ଢଳର ଲକ୍ଷ୍ମୀପୂଜା, ବଳମର ଦୁର୍ଗାପୁଜା, ବାରକୋଟର କାଳୀପୂଜା ଆଦି ପାଳନ କରାଯାଏ । ବାସୁଦେବପୁରର ରମ୍ଭାଦେବୀ ଯାତ୍ରା, ଟାଇଁସରର ଦୋଳପୂର୍ଣ୍ଣିମା ଏବଂ ବାରକୋଟର ରଥଯାତ୍ରା ବିଶେଷ ଭାବରେ ଜନାଦୃତ ଯାହାକି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପାଳିତ ହୁଏ ଏବଂ ଯାହା ଏକ ସୁସ୍ଥ ସମାଜର ବାର୍ତ୍ତା ବହନ କରେ ।
ଦେବଗଡ ଜିଲ୍ଲାରେ ବହୁ ଆଦିବାସୀ ସମ୍ପ୍ରଦାୟର ଭିନ୍ନ ଭିନ୍ନ ଜାତି ବସବାସ କରନ୍ତି । ତେଣୁ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଦେବାଦେବୀ ମାନେ ପୂଜିତ ହୁଅନ୍ତି । ସାଧାରଣତଃ, ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଉପାସନା ସ୍ଥଳ ନାହିଁ । କେତେକ ସ୍ଥାନମାନଙ୍କରେ ଦେବପୀଠ ସହ ସାମାନ୍ଯ ସାମଞ୍ଜସ୍ୟ ଥିବା ପରିତ୍ୟକ୍ତ ପୀଠମାନଙ୍କରେ ପ୍ରସ୍ତର ଖଣ୍ଡରେ ନିଜ କୁଳଦେବତାଙ୍କୁ ଆରୋପିତ କରି ଆରାଧନା କରିଥାନ୍ତି । ଦେବଗଡ ଜିଲ୍ଲାରେ ବିଭିନ୍ନ ଜନଜାତିମାନଙ୍କ ଆରାଧ୍ୟ ଦେବାଦେବୀଙ୍କ ମଧ୍ୟରେ କନ୍ଧମାନଙ୍କର ମହାଭୈରବୀ, ଭୂୟାଁମାନଙ୍କର ରମ୍ଭାଦେବୀ, ଗଣ୍ଡମାନଙ୍କର ଜଙ୍ଘଲୀଙ୍ଗ ଓ ବଡଦେଓ, ମୁଣ୍ଡା, ଓରାମ, ହୋ ତଥା ସାନ୍ତାଳମାନେ ସେମାନଙ୍କ ଜାତିର ପୂଜ୍ୟ ଦେବାଦେବୀ ମାନଙ୍କୁ ପୂଜା କରିଥାନ୍ତି । ବିଭିନ୍ନ ପୌରାଣିକ ଲୋକକଥା ଅନୁଯାୟୀ କନ୍ଧମାନଙ୍କର ଆରାଧ୍ୟାଦେବୀ ମହାଭୈରବୀ, ଭୂୟାଁମାନଙ୍କର ଆରାଧ୍ୟାଦେବୀ ରମ୍ଭାଦେବୀ ହେଉଛନ୍ତି ଦୁଇଭଉଣୀ । ଯାହାକି ଏହି ଦୁଇ ଜନଜାତିମାନଙ୍କ ମଧ୍ୟରେ ଭାତୃଭାବର ମୁଖ୍ୟ କାରଣ । ଗଣ୍ଡମାନେ ଦାବି କରନ୍ତି ଯେ ସେମାନଙ୍କ ଆରାଧ୍ୟ ଜଙ୍ଘଲୀଙ୍ଗ ଓ ବଡଦେଓ ହେଉଛନ୍ତି ଜଗନ୍ନାଥ ଓ ବଳଭଦ୍ରଙ୍କ ପୂର୍ବ ସ୍ୱରୂପ । ପାଉଡି ଭୂୟାଁ ମାନଙ୍କର ସବୁଠାରୁ ଲୋକପ୍ରିୟ ଉତ୍ସବ ହେଉଛି ବିଶ୍ରୀ ପୂଜା । ଭାଟସିଙ୍ଗ ଗ୍ରାମରେ ରହସ୍ୟମାୟୀ ଠାକୁରାଣୀ “ସମଲେଶ୍ଵରୀ” ପୂଜା ପାଉଛନ୍ତି, ଯାହାକି ସମ୍ବଲପୁରର ଆରାଧ୍ୟା ଦେବୀ “ସମଲେଶ୍ଵରୀ”ଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ । କାରଣ ଏଠାରେ ଏକ ଦମ୍ପତି ମୂର୍ତ୍ତି ବିଗ୍ରହ ରୂପେ ପୂଜା ପାଉଛନ୍ତି । ଏଠାରେ ଆଉ ଗୋଟିଏ ପାର୍ଶ୍ଵ ଦେବୀ ” ପିତାବଳୀ” ପୂଜା ପାଉଛନ୍ତି ଯାହାଙ୍କର ବୌଦ୍ଧ ଯୁଗୀୟ ମୂର୍ତ୍ତି ସହ ସାମଞ୍ଜସ୍ଯ ରହିଛି । ତାଳଚେରର ଆରାଧ୍ୟା ଦେବୀ “ମା ହିଙ୍ଗୁଳା”ଙ୍କ ଭଳି ଜରାଛାଟ ଗ୍ରାମରେ ଅଧିଷ୍ଠିତା ହିଙ୍ଗୁଳା ପୂଜିତ ହେଉଛନ୍ତି । ବିଗତ ବାମଣ୍ଡା ରାଜ୍ୟର ସୈନ୍ୟ ତଥା ପାଇକମାନଙ୍କର ପରମ ଆରାଧ୍ୟା ତଥା ଇଷ୍ଟଦେବୀ ଥିଲେ “ମା ସନିପାଟ” । ବୌଦ୍ଧଯୁଗର ପରବର୍ତ୍ତୀ ସମୟରେ ତନ୍ତ୍ର ବିଦ୍ୟାର ବହୁଳ ଭାବରେ ପ୍ରଚଳନ ହୋଇଥିଲା । ଏହି ତାନ୍ତ୍ରିକ ବିଦ୍ୟାର ପ୍ରଚଳନର ଆଭାସ ଏବେ ମଧ୍ୟ ବିଭିନ୍ନ କର୍ମକର୍ମାଣି ମାନଙ୍କରେ ଦୃଷ୍ଟିଗୋଚର ହୁଏ । ସୋମବଂଶୀୟ ରାଜାମାନେ ଏଠାରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିଲେ । ତେଣୁ ଏହି ଜିଲ୍ଲାରେ ବହୁ ଶୈବପୀଠ ରହିଛି । ଝାଡେଶ୍ଵର, ବନାଇଲୋ ଏବଂ ପ୍ରଧାନପାଟ ସ୍ଥିତ ଶିବମନ୍ଦିର ଗୁଡିକ ଗଙ୍ଗବଂଶୀୟ ରାଜାମାନଙ୍କ ଦ୍ଵାରା ନିର୍ମିତ ହୋଇଥିଲା ।
ଏହାଛଡା ଏହି ଜିଲ୍ଲାର ମୂଳବାସିନ୍ଦାମାନଙ୍କର ମଧ୍ୟ ବହୁ ପର୍ବପର୍ବାଣୀ ରହିଛି । ପାଉଡି ଭୂୟାଁ ଜନଜାତି ସମ୍ପ୍ରଦାୟର ଲୋକେ ପ୍ରକୃତି ଉପାସକ । ବର୍ଷର ବିଭିନ୍ନ ସମୟରେ ଯଥା ବସନ୍ତ, ବର୍ଷା ତଥା ଶୀତ ଋତୁରେ ଏମାନେ ପାହାଡି ଝରଣା, ନଦୀ, ନଳା ନିକଟରେ ପ୍ରକୃତି ରୂପକ ମାତା ତଥା ପିତାଙ୍କ ଆରାଧନା କରିଥାନ୍ତି । ଏହି ସମୟରେ ନୃତ୍ୟ, ଗୀତ ର ଆୟୋଜନ ହୋଇଥାଏ । ମଜା ମଜଲିସ ମଧ୍ୟରେ ବିବାହଯୋଗ୍ୟ ପୁଅ(ଧାଙ୍ଗଡା) ଓ ଝିଅ(ଧାଙ୍ଗଡି) ମାନେ ନିଜ ନିଜ ପସନ୍ଦର ଜୀବନସାଥି ଚୟନ କରିଥାନ୍ତି । ଆକୃଷ୍ଟ କରିବା ପାଇଁ ଏମାନେ ନୃତ୍ୟଗୀତ, ତଥା ନିଜର ଆଶୁ ରଚନାର ସାହାଯ୍ୟ ନେଇଥାନ୍ତି। ଏହି ସମୟରେ “ହାଣ୍ଡିଆ” ନାମକ ପାନୀୟର ବହୁଳ ବ୍ୟବହାର ହୋଇଥାଏ । ଡାଲଖାଇ, ହୁମୋ ନୃତ୍ୟ, ରସରକେଲୀ, ସଜନୀ ତଥା ମୟଲଜଡା ଗୀତ ଏଠାରେ ବିଶେଷ ଭାବରେ ଲୋକପ୍ରିୟ ।
ଦେବଗଡ ଜିଲ୍ଲାରେ ପାଲା, ଦାସକାଠିଆ, ରାମଳୀଳା ସ୍ଥାନୀୟ କିମ୍ବା ବେଳେ ବେଳେ ଜିଲ୍ଲା ବାହାରୁ ଆମନ୍ତ୍ରିତ କଳାକାର ଦଳମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥାଏ । କଥାବସ୍ତୁ ଗୁଡିକ ସାଧାରଣତଃ ପୌରାଣିକ ବିଷୟବସ୍ତୁ ଉପରେ ଆଧାରିତ ଏବଂ ଓଡିଆ ଭାଷାରେ ପରିବେଷିତ ହୋଇଥାଏ । ବିଭିନ୍ନ ମଧ୍ୟଯୁଗୀୟ ଓଡିଆ ତଥା ସଂସ୍କୃତ ରଚନାରୁ ଉଦ୍ଧୃତ ପଦ୍ୟାବଳୀ ସହ ଏଗୁଡିକ ସାଧାରଣତଃ ଓଡିଆ ଭାଷାରେ ପରିବେଷିତ ହୋଇଥାଏ । ଦେବଗଡର ବରପାଲି ସାହିରେ ଏକ ରାମଳୀଳା ଦଳ ଥିଲା ଯାହାକି ଗୋପାଳଜୀ ମନ୍ଦିରରେ ରାମନବମୀ ଉତ୍ସବ ସମୟରେ ସେମାନଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ ପ୍ରସିଦ୍ଧ ଥିଲା ।
କୃଷି ଭିତ୍ତିକ ପୂଜା ଯେପରିକି ଅକ୍ଷି ତୃତୀୟା, କାଦୋବାଲି ପୂଜା, ମୁଠି ଅନୁକୂଳ, ନୂଆଖାଇ ମୂଖ୍ୟଚାଷ ରୂପରେ ଧାନଚାଷର ବିଭିନ୍ନ ଅବସ୍ଥାରେ, ଯେପରିକି ଜମି ଚଷିବା, ବିହନ ବୁଣିବା, ବେଉଷଣ କରିବା ସମୟରେ ପାଳିତ ହୋଇଥାଏ । ମାର୍ଗଶୀର ମାସ (ଡିସେମ୍ବର-ଜାନୁୟାରୀ)ରେ ସାଧାରଣତଃ ଧାନ ଅମଳ ହେବା ଯୋଗ୍ୟ ହୋଇଥାଏ । ଏହି ସମୟରେ ପ୍ରତ୍ଯେକ ଗୁରୁବାରଦିନ ମହାଲକ୍ଷ୍ମୀ ପୂଜା ହିନ୍ଦୁ(ଜାତି ନିର୍ବିଶେଷରେ)ମାନଙ୍କ ଘରେ ଘରେ ପାଳିତ ହୁଏ । ଗ୍ରାମର ପ୍ରତ୍ଯେକ ଶିଳ୍ପୀ ଭଗବାନ ବିଶ୍ଵକର୍ମାଙ୍କ ଆରାଧନା କରିଥାଏ । ଥୁରୀଆ ଜାତିର ଲୋକମାନେ ବୋଇତ ବନ୍ଦାଣ ଉତ୍ସବ ପାଳନ୍ତି । ଏଠାରେ ପରିବାରର ତରୁଣ ତଥା ଶିଶୁମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ସତ୍ୟନାରାୟଣ ପୂଜା ତଥା ପ୍ରଥମାଷ୍ଟମୀ ପାଳନ କରାଯାଏ । ରକ୍ଷା ବନ୍ଧନ ଏଠାକାର ଉଚ୍ଚ ଜାତିର ହିନ୍ଦୁମାନେ ବହୁଳ ଭାବେ ପାଳନ କରନ୍ତି ।
ମକର ସଂକ୍ରାନ୍ତି ଏଠାକାର ସାନ୍ତାଳ ଆଦିବାସୀମାନଙ୍କର ଏକ ମୁଖ୍ୟ ପର୍ବ । ଟୂସୁ ପର୍ବ ମଧ୍ୟ ଏବେ ପ୍ରାୟ ସମସ୍ତ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଆଦୃତ ହୋଇସାରିଛି । ଗହ୍ମା ପୂର୍ଣ୍ଣିମା, ଛାଡଖାଇ, ପୌଷ ପୂର୍ଣ୍ଣିମାରେ ପିଠା, ମିଠା ତଥା ମାଂସର ଭୋଜିମାନ ଆୟୋଜିତ ହୋଇଥାଏ ।
ମୁସଲମାନ ସମ୍ପ୍ରଦାୟ ରମ୍ ଜାନ, ଇଦ୍-ଉଲ୍-ଫିତର୍ ଏବଂ ଇଦ୍-ଉଲ୍-ଜୁହା ଭୋଜି-ଭାତ ସହ ଆଡମ୍ବର ସହକାରେ ପାଳନ କରନ୍ତି । ସେହିପରି ମହରମ୍ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୁଏ । ଏଠାକାର ଶିଖ୍ ସମ୍ପ୍ରଦାୟର ସଂଖ୍ୟା ବହୁତ କମ ହେବା ସତ୍ତ୍ୱେ ମଧ୍ୟ ସେମାନେ ଗୁରୁନାନକଙ୍କ ଜନ୍ମୋତ୍ସବ, ବୈଶାଖୀ ତଥା ଗୁରୁପରବ ପାଳନ କରନ୍ତି ।