ସଂସ୍କୃତି
ବିଷୟ ପ୍ରବେଶ
ପୂର୍ବର ସାମନ୍ତବାଦୀ ରାଜ୍ୟ ବାମଣ୍ଡାର ରାଜଧାନୀ ଓଡିଶାର ପ୍ରପାତ ସହର ଦେବଗଡ, ଏହାର ସ୍ଵାସ୍ଥ୍ୟକର ଜଳବାୟୁ ଏବଂ ପ୍ରଶାନ୍ତ ପରିବେଶ ପାଇଁ ପ୍ରସିଦ୍ଧ । ସହରର ଐତିହାସିକ ପ୍ରସଙ୍ଗ ଅନୁସାରେ ସଂସ୍କୃତରେ “ଦେବଦୁର୍ଗ” ମୋଟାମୋଟି ଭାବେ ଦେବତାମାନଙ୍କର ଦୁର୍ଗ ବା ଦେବତାମାନଙ୍କର ସ୍ଵର୍ଗପୁରୀ ବୋଲି ବର୍ଣ୍ଣିତ । ଉତ୍ତୁଙ୍ଗ ପର୍ବତମାଳାମାନଙ୍କ ଦ୍ଵାରା ପରିବେଷ୍ଟିତ ତତ୍କାଳୀନ ରାଜ୍ୟଟି ପ୍ରାୟତଃ ଦୁର୍ଭେଦ୍ଯ ଥିବା ଏବଂ ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା କରିବା ନିମନ୍ତେ ପ୍ରାକୃତିକ ପ୍ରତିରକ୍ଷା ସାଧନ କରିବାର କ୍ଷମତା ବହନ କରିଥିଲା । ରାଜ୍ୟଟି ଏମିତି ଘଞ୍ଚ ଅରଣ୍ୟରେ ପରିବେଷ୍ଟିତ ଥିବାରୁ ଏଠାକୁ ବୈଦେଶିକ ଅନୁପ୍ରବେଶକାରୀ ଏବଂ ଅନ୍ଯାନ୍ଯ ବାହ୍ୟ ପ୍ରଭାବରୁ ମୁକ୍ତ ଥିବାରୁ ଏହାକୁ ଅଖୋଜ ବାମଣ୍ଡାର ଆଖ୍ୟା ଦିଆଯାଇଥିଲା । କାଳକ୍ରମେ ବାମଣ୍ଡାର ରାଜଧାନୀ ପୁରୁଣାଗଡରୁ ସୁଗୁଡା ଏବଂ ଶେଷରେ ଦେବଗଡକୁ ସ୍ଥାନାନ୍ତରିତ ହୋଇଥିଲା ।
ସୁଉଚ୍ଚ ଶୃଙ୍ଗ ଏବଂ ସବୁଜ ବନାନୀର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପ୍ରଧାନପାଟ ଜଳପ୍ରପାତଟି ଥିଲା ମନୋମୁଗ୍ଧକର । ଉଭୟ ଭ୍ରମଣକାରୀ ଏବଂ ବଣଭୋଜି ଆଶାୟୀ ମାନଙ୍କ ପାଇଁ ଏହି ଜଳପ୍ରପାତଟି ଏକ ସ୍ଵର୍ଗପୁରୀ ସଦୃଶ ଥିଲା । ଓଡିଶା ସରକାରଙ୍କ ଦ୍ଵାରା ଚିହ୍ନିତ ଏବଂ ନାମିତ ହୋଇଥିବା ୩୪୬ ଟି ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରେ ଦେବଗଡ ଜିଲ୍ଲାର ଦୁଇଟି ଜଳପ୍ରପାତକୁ ସ୍ଥାନିତ କରାଯାଇଅଛି । ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ବାମଣ୍ଡା ତା’ର ଉତ୍କୃଷ୍ଠ କଳା ଓ ସାହିତ୍ଯ ପାଇଁ ଥିଲା ଅଗ୍ରଗଣ୍ୟ । ଏଥି ସହିତ ବାମଣ୍ଡାର ରାଜପରିବାରବର୍ଗ ଥିଲେ ସାହିତ୍ୟାନୁରାଗୀ । ଏମାନେ ପଣ୍ଡିତ ମାନଙ୍କର ପୃଷ୍ଠପୋଷକତା କରୁଥିଲେ । ତତ୍କାଳୀନ ଓଡିଆ ଭାଷା, ସାହିତ୍ଯ ଏବଂ ସଂସ୍କୃତି ଉପରେ ବଙ୍ଗଳା ନବଜାଗରଣର ଦୁଷ୍ପ୍ରଭାବ ପଡୁଥିଲା ବେଳେ ବାମଣ୍ଡାର ରାଜା ତଥା ଓଡିଆ ଭାଷା ପ୍ରେମୀମାନେ ଏହାର ଦୃଢ ପ୍ରତିରୋଧ କରିଥିଲେ । ତତ୍କାଳୀନ ବାମଣ୍ଡାର ତଥାକଥିତ ରାଜଧାନୀ ସହର “ଦେବଗଡ” “ବୁଧହଂସ କେଳିସର” ନାମରେ ପ୍ରଶଂସା ଅର୍ଜନ କରିଥିଲା । ମୋଟାମୋଟି ଇଂରାଜୀ ଅନୁବାଦ ଅନୁସାରେ ଏହା ଏକ ଏମିତି ଅକ୍ଷୁର୍ଣ୍ଣ ସରୋବର ଯେଉଁଠି ପଣ୍ଡିତ ରୂପୀ ହଂସ ମାନଙ୍କର ସର୍ବଦା ବିହାର ସ୍ଥଳ ଥିଲା ।
ଅତୀତର ସାହିତ୍ଯ ଏବଂ ନାଟ୍ଯ ପରମ୍ପରା
ଦେବଗଡ ସମେତ ଓଡିଶାର କିମ୍ବଦନ୍ତୀ ମୂଳକ ସାହିତ୍ଯର ପରମ୍ପରା ହେଉଛି ସର୍ବପୁରାତନ ଏବଂ ଉଚ୍ଚକୋଟୀର । ଦେବଗଡର ପ୍ରାଚୀନ ଜନଜାତି ବା ଉପଜାତି ସମ୍ପ୍ରଦାୟର ଲୋକ ଏବଂ ମୌଖିକ ସାହିତ୍ଯ ଥିଲା ଅତିମାତ୍ରାରେ କାଳ୍ପନିକ, ଆକର୍ଷଣୀୟ ଏବଂ ବାସ୍ତବବାଦୀ । ସେମାନେ ସରଳ ସଙ୍ଗୀତ ଏବଂ ପ୍ରକୃତିକୁ ନେଇ ବିଭିନ୍ନ ଗଳ୍ପ ରଚନା କରିଥିଲେ । ପ୍ରକୃତିର ଉପାଦାନକୁ ନେଇ ଥିଲା ତାଙ୍କର ସୃଷ୍ଟି । ପ୍ରକୃତି ହିଁ ଥିଲା ସେମାନଙ୍କର ତୀର୍ଥ କ୍ଷେତ୍ର । ୧୯୨୩ ମସିହାରେ ରାଧାନାଥ ବିଦ୍ୟାଳୟ ( ଯାହାକି ବର୍ତ୍ତମାନର ରାଧାନାଥ ଇନଷ୍ଟିଚ୍ୟୁଟ୍ ଅଫ ଆଡଭାନ୍ସ ଷ୍ଟଡିଜ୍ ଇନ୍ ଏଡୁକେଶନ୍) ରେ ଦ୍ଵିତୀୟଥର ପାଇଁ ଯୋଗଦେଇଥିବା ଅଧ୍ୟକ୍ଷ ମିଃ ସି.ଏନ. ଦାସଗୁପ୍ତ ଏହି ସର୍ବପୁରାତନ ମୌଖିକ ଗଳ୍ପଗୁଡିକର ଇଂରାଜୀ ଅନୁବାଦ କରି ଏସବୁର ପାଣ୍ଡୁଲିପିକୁ ବିହାର ଓଡିଶା ପ୍ରଦେଶର ତତ୍କାଳୀନ ଏଡୁକେଟିଭ୍ କାଉନସିଲ ସଦସ୍ୟ ମିଃ ଏଚ. ଏଲ. ମାଜ୍ସୁରଙ୍କୁ ଦେଇଥିଲେ । ଏ ସବୁକୁ ଅଧ୍ୟୟନ କରି ମିଃ ମାଜ୍ସୁର ଟିପ୍ପଣୀ ଦେଇଥିଲେ ଯେ – ” ମୋ ପିଲାଦିନରୁ ଏହି ଗଳ୍ପ ଗୁଡିକ ଚିତ୍ତାକର୍ଷକ ଥିଲା ଏବଂ ଜର୍ମାନ୍ ର ଲୋକକଥା ସହିତ ବହୁ ସାମଞ୍ଜସ୍ଯ ରକ୍ଷା କରୁଥିଲା ଯାହା ଇଂରେଜ ପିଲାମାନଙ୍କୁ ବହୁମାତ୍ରାରେ ଅନୁପ୍ରାଣିତ କରିଥିଲା । “
ତତ୍କାଳୀନ ବାମଣ୍ଡା ରାଜାଙ୍କର ଅତିଥି ରୂପେ ଆସି ମିଃ ଦାସଗୁପ୍ତା ବାମଣ୍ଡାର ଜନଜାତିର ଗଳ୍ପ ସମୂହକୁ ଏବଂ ବାମଣ୍ଡା ରାଜ୍ୟର ଶିକ୍ଷାପଦ୍ଧତିକୁ ତଦାରଖ କରିଥିଲେ ।
ରାଜତନ୍ତ୍ର ସମୟରେ ବାମଣ୍ଡାରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଥିଲା । ଲୋକଙ୍କର ମନୋରଞ୍ଜନ ପାଇଁ ସେତେବେଳେ ଯଥାକ୍ରମେ ରାମଲୀଳା, ବାଣ୍ଡିବୋତଳ, ସୁଆଙ୍ଗ, ଯାତ୍ରା, ଗୀତାଭିନୟ, ଗୋଟିପୁଅ ନାଚ, ଚଇତିଘୋଡା, ଦଣ୍ଡ, ଦାସକାଠିଆ ଏବଂ ପାଲା ପରିବେଷଣ ହେଉଥିଲା । ଏମାନଙ୍କ ମଧ୍ୟରୁ କିଛି କଥାବସ୍ତୁ ଗ୍ରାମ୍ୟଜୀବନକୁ ଆଧାର କରି, କିଛି ମଧ୍ୟଯୁଗୀୟ ପୌରାଣିକ କଥାବସ୍ତୁ ଆଧାରିତ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ସମକାଳୀନ ବଙ୍ଗଳା ଏବଂ ଓଡିଶାର କ୍ଷୁଦ୍ର ନାଟକମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ବିଭିନ୍ନ ଉତ୍ସବମାନଙ୍କରେ ସଙ୍ଗୀତମୂଳକ ଗୀତିନାଟ୍ୟ, ସଂପୂର୍ଣ୍ଣ ବିକଶିତ ନାଟକ ମଞ୍ଚସ୍ଥ ହେଉଥିଲା । ରାଜା ଦିବ୍ୟଶଙ୍କର ଦେବଙ୍କ ନାମାନୁସାରେ ଏକ ନାଟକ ସଂଘ ଗଠିତ ହୋଇଥିଲା । ଯାହାର ନିଜସ୍ଵ ମଞ୍ଚର ନାମ “ଦିବ୍ୟଶଙ୍କର ରଙ୍ଗମଞ୍ଚ” ଥିଲା । ସେ ସମୟରେ ବହୁ ଗ୍ରାମସ୍ତରରେ ମଧ୍ୟ ନାଟ୍ୟପ୍ରେମୀ ମାନଙ୍କ ଦ୍ଵାରା ଛୋଟ ଛୋଟ ନାଟକ ସଂଘ ସ୍ଥାପିତ ହୋଇଥିଲା । ଗ୍ରାମାଞ୍ଚଳମାନଙ୍କ ମଧ୍ୟରେ କଲା, ଟିଙ୍କବିର, ନଈକୁଳ, ଗୋଗୁଆ ଏବଂ ବାରକୋଟ ନାଟକ ପ୍ରତି ଆଗ୍ରହ ପ୍ରକାଶ କରୁଥିଲେ ।
ବାମଣ୍ଡାର ଜଡାଗୋଳା ଗ୍ରାମର “ନୀଳାଚଳ ଥିଏଟର ପାର୍ଟି” ନାମରେ ଏକ ନାଟ୍ୟଦଳ, ଅଭିଜ୍ଞ ଏବଂ ବରିଷ୍ଠ କଳାକାରମାନଙ୍କୁ ନେଇ ଗଠିତ ହୋଇଥିଲା । ବିଶେଷତଃ, ଦୋଳଯାତ୍ରା ସମୟରେ ସେମାନେ ଅର୍ଥ ବିନିମୟରେ ନାଟକ ପରିବେଷଣ କରୁଥିଲେ । ବିଶେଷ କରି ପୁରୁଣା ଭାଟସିଂ, ଗୋଗୁଆ, ଜଡାଗୋଳା, ପରା, ଜରଛାଟ ଗ୍ରାମର ଲୋକମାନେ ଯାତ୍ରାଦଳ ଗଠନ କରିଥିଲେ । ଯେଉଁ ଯାତ୍ରା ଗୁଡିକ ଗ୍ରାମପାଣ୍ଠିରୁ ପରିଚାଳିତ ହେଉଥିଲା ସେମାନେ ଗ୍ରାମ୍ୟ ପ୍ରସଙ୍ଗକୁ ନେଇ ଗାଁ ଗାଁ ବୁଲି ବରାଦନୁସାରେ ନାଟ୍ଯ ପରିବେଷଣ କରୁଥିଲେ ।
ନଅଦିନ ବ୍ୟାପୀ ପାଳିତ ହେଉଥିବା “ରାମନବମୀ” ଅବସରରେ ଦେବଗଡ ସହରର ଧୋବସାହିର ରାମଲୀଳା ଦଳମାନଙ୍କ ଦ୍ଵାରା ରାମଲୀଳା ଲୋକନାଟ୍ୟ ଢଙ୍ଗରେ ରାଜପ୍ରାସାଦର ସଭାଗୁଲିଠାରେ ଏବଂ ବିଭିନ୍ନ ସ୍ଥାନରେ ପରିବେଷଣ ହେଉଥିଲା । ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ସମୟରେ ରାଜାଙ୍କ ପୃଷ୍ଠପୋଷକତା ଲାଭ କରି ବିଭିନ୍ନ ମହାକାବ୍ୟ ଗୁଡିକର ନାଟ୍ଯ ରୂପାନ୍ତର ହେବାର ଉଦ୍ୟମ ଜାରି ରଖାଯାଇଥିଲା । ଦରବାରର ରାଜକବି ବ୍ରଜବନ୍ଧୁ ମିଶ୍ର, ରାଜକୁମାର ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଦ୍ଵାରା ରଚିତ ଦୁଇଟି କାବ୍ଯ ଯଥାକ୍ରମେ “ମାୟାଶର୍ବରୀ” ଏବଂ “ଭୀଷ୍ମ” କୁ ନାଟ୍ଯ ରୂପାନ୍ତର କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟ ରେ ଏଗୁଡିକ ଅଭିନୀତ ହୋଇ ଦର୍ଶକ ମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା । କବିବର ରାଧାନାଥ ରାୟ ଙ୍କର ପ୍ରସିଦ୍ଧ କାବ୍ଯ “ଚନ୍ଦ୍ରଭାଗା”କୁ ଅନ୍ଯତମ ବର୍ଷିୟାନ ନାଟ୍ଯକାର ଦୂର୍ଯ୍ୟଧନ ନାଏକ ନାଟ୍ୟାରୂପାନ୍ତର କରିଥିଲେ । ୧୯୦୨ ମସିହାରେ ଏହା ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ ହୋଇଥିଲା । ଦେବଗଡର ନାଟକସଂସ୍ଥାର ଅଭିନୀତ ନାଟକ ଏବଂ ନାଟକୀୟ ଦକ୍ଷତା ଦ୍ଵାରା ପ୍ରଭାବିତ ହୋଇ ସୁଦୂର ତାଳଚେର, ମାହାଙ୍ଗା ଏବଂ ବାଲିଅନ୍ତାର ନାଟକଦଳ ଓ କଳାକାରମାନେ ନାଟ୍ୟଶିକ୍ଷା ଗ୍ରହଣ କରିବା ପାଇଁ ବାରମ୍ବାର ଦେବଗଡ ଆସୁଥିଲେ । ଦେବଗଡର ନାଟ୍ୟକଳାର ବିକାଶ, ନାଟ୍ଯ ନିର୍ଦ୍ଦେଶନା, କଳାକାର ମାନଙ୍କ ଅଭିନୟ କୌଶଳ, ମଞ୍ଚସଜ୍ଜା, ଉପସ୍ଥାପନା ଇତ୍ୟାଦି ନିମିତ୍ତ କଲିକତାରୁ ପ୍ରସିଦ୍ଧ ନାଟ୍ଯ ନିର୍ଦ୍ଦେଶକ ବଳାଇ ବାନାର୍ଜୀ ନିମନ୍ତ୍ରିତ ହୋଇ ଦେବଗଡ ଆସିଥିଲେ । ଅନେକ କଳାକାର ଏବଂ ଅଭିନେତା ଗଣ, ଯଥାକ୍ରମେ – ନାରାୟଣ ଚନ୍ଦ୍ର ଦାଶ, ସୁରେନ୍ଦ୍ର ନାଥ ଶର୍ମା, କ୍ଷମାନିଧି ଖଡିରତ୍ନ, ହରେନ ଦତ୍ତ, ପୁରୁଷୋତ୍ତମ ନନ୍ଦ, ସତ୍ୟାନନ୍ଦ ପତି, ବଂଶୀଧର ଦାଶ, ରଙ୍କନିଧି ଦାଶ, ପ୍ରଫୁଲ୍ଲ ଚନ୍ଦ୍ର ଦେବ, ପ୍ରତାପ ଗଙ୍ଗଦେବ, ନବୀନ ଚନ୍ଦ୍ର ଦେବ, ଶଶିଭୂଷଣ ମହାପାତ୍ର, ନେତ୍ରାନନ୍ଦ ପାଢୀ, ବ୍ରଜମୋହନ ଦାଶ, ସୀତାକାନ୍ତ ଦେବ, କେଶରୀ ଗଙ୍ଗଦେବ, ସଦାଶିବ ମହାପାତ୍ର, ରୁଦ୍ରନାରାୟଣ ଦେବ, ଭାଗୀରଥୀ ମହାପାତ୍ର, ସୀତାକାନ୍ତ କପରଦାର, ବୃନ୍ଦାବନ ମିଶ୍ର, ଅତୁଲ୍ୟ ଚରଣ ଦାଶ, ଲକ୍ଷ୍ମୀଧର ବେହେରା ଇତ୍ୟାଦି ଅନେକ ବଳାଇ ବାନାର୍ଜୀଙ୍କ ଦ୍ଵାରା ତାଲିମ ପ୍ରାପ୍ତ ହୋଇଥିଲେ । ଏହି ତାଲିମ ପ୍ରାପ୍ତ କଳାକାରମାନେ “କାର୍ତ୍ତବୀର୍ଯ୍ୟ”, “କର୍ଣ୍ଣ ଅର୍ଜୁନ”, “କାରାଗାର”, “ଚକ୍ରଧାରୀ”, “ବାଣହରଣ”, “ଖାର”, “ମୁଦ୍ରାରାକ୍ଷସ” ଆଦି ନାଟକରେ ଅଭିନୟ କରିଥିଲେ, ଯାହା କଲିକତାର ପେଷାଦାର କଳାକାରମାନଙ୍କ କଳାଚାତୁର୍ଯ୍ୟର ସମକକ୍ଷ ଥିଲା । ବିଜୟ ଚନ୍ଦ୍ର ଦେବତା, ସୁବାସ ମହାପାତ୍ର ଏବଂ ତ୍ରିପୁରାରୀ ବେହେରା ଇତ୍ୟାଦି ମାନଙ୍କର ଜୀବନ୍ତ ଅଭିନୟ ପାଇଁ ଆଜି ମଧ୍ୟ ସେମାନେ ସ୍ମରଣୀୟ ।
ସ୍ଵାଧୀନତା ପରେ ରାଜତନ୍ତ୍ର ଶାସନର ଅବସାନ ଘଟେ ଏବଂ ଏହାପରେ ମଧ୍ୟ ସେହି ନାଟ୍ୟଧରା ଏବଂ ପରମ୍ପରା ବଜାୟ ରହିଥିଲା । ଯେତେବେଳେ ଆଧୁନିକ ଶୈଳୀର ଇଲେକ୍ଟ୍ରୋନିକ୍ ମାଧ୍ୟମ ଯଥା , ଚଳଚ୍ଚିତ୍ର, ଟେଲିଭିଜନ ଦ୍ଵାରା ପ୍ରସାରିତ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରସାରିତ ହେଲା, ଏହା ଦ୍ବାରା ଏହି ଜୀବନ୍ତ କଳାର ପାରମ୍ପରିକ ଅଭିନୟ ଶିଲ୍ପ ଗୁରୁତର ଭାବରେ ପ୍ରଭାବିତ ହେଲା । କ୍ରମେ ଦେବଗଡ ସହର ଚଳଚ୍ଚିତ୍ର ନିର୍ମାତା ମାନଙ୍କର ଚଳଚ୍ଚିତ୍ର ପ୍ରସ୍ତୁତି ନିମିତ୍ତ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଗଲା । ସର୍ବପ୍ରଥମେ “ସାଧନା” ନାମକ ଏକ ଓଡିଆ ଚଳଚ୍ଚିତ୍ର ପ୍ରଧାନପାଟ ଜଳପ୍ରପାତ ଠାରେ ଉତ୍ତୋଳିତ ହୋଇଥିଲା ଏବଂ ୧୯୬୪ ମସିହାରେ ପାହାଡ ଓ ଝରଣା ପରିବେଷ୍ଟିତ ଦେବଗଡ ସହରଟି ଚଳଚ୍ଚିତ୍ର ଜଗତରେ ସୁନାମ ଅର୍ଜନ କରିଥିଲା । ପ୍ରଖ୍ୟାତ ଓଡିଆ ଗାଳ୍ପିକ ମନୋଜ ଦାସଙ୍କ ରଚିତ ଗଳ୍ପ “ଆରଣ୍ଯକ”କୁ ନେଇ ଏକ ଓଡିଆ ଚଳଚ୍ଚିତ୍ର ଦେବଗଡ ନିକଟସ୍ଥ କୈଳାସ ରାଜପ୍ରାସାଦରେ ଉତ୍ତୋଳିତ କରାଯାଇଥିଲା ।
ବର୍ତ୍ତମାନର ବିଶିଷ୍ଠ ନାଟ୍ୟଦଳ ମଧ୍ୟରେ ଗୋପୀକିଶୋର ଆସୋସିଏସନ, ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ, କଳିକା ଏବଂ ନବନାଟ୍ୟ ନିକେତନ ଇତ୍ୟାଦି ନାଟକ କାର୍ଯ୍ୟକଳାପରେ ଜଡିତ ଅଛନ୍ତି । ସାଂପ୍ରତିକ ବିଷୟବସ୍ତୁ, ଶୈଳୀକୁ ଆପଣେଇ ରାଜ୍ୟ ଭିତରେ ଏବଂ ବାହାରେ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରୁଛନ୍ତି ।
“ଜାଗରଣ ଆର୍ଟ” ନାଟ୍ୟସଂସ୍ଥା ଦ୍ଵାରା ମଞ୍ଚସ୍ଥ ନାଟକ “ଗାର” (ଦି ରାମ) ଆଲ୍ଲାହାବାଦ ଏବଂ ଆସାମ ରାଜ୍ୟରେ ପ୍ରତିଯୋଗୀତା ମୂଳକ ନାଟକରେ ଅଂଶଗ୍ରହଣ କରି ବହୁବାର ଉଚ୍ଚ ପ୍ରଶଂସିତ ହେବ ସହ ପ୍ରଶଂସା ପତ୍ର ପାଇଛନ୍ତି । କଳାକାର ମାନେ ଯଥା- ଯୋଗେଶ ଚନ୍ଦ୍ର ଦଳବେହେରା, ଦୀନବନ୍ଧୁ ନାଏକ, ଅର୍ଜୁନ ମୋହନ ସାହୁ, ବିଷ୍ନୁ ଚରଣ ବେହେରା, ମାର୍କଣ୍ଡେଶ୍ଵର ଶତପଥି, ହେମନ୍ତ କୁମାର ମହାପାତ୍ର, ମନୋଜ କୁମାର ପାଢୀ, ଅତୁଲ୍ୟ କୁମାର ପୂଜାରୀ, ଦିଲ୍ଲୀପ କୁମାର ଗୁରୁ, ଶିଶିର କୁମାର ରଥ, ପ୍ରକାଶ କୁମାର ଦେବତା ଇତ୍ୟାଦି ନାଟକ ରଚନା କରିବା ସଙ୍ଗେ ସଙ୍ଗେ ଅଭିନୟ ମଧ୍ୟ କରୁଛନ୍ତି । ଅନ୍ଯାନ୍ଯ ପ୍ରତିଭାଶାଳୀ କଳାକାର ଭାବେ ଅବନୀକାନ୍ତ ମିଶ୍ର, ଚିତ୍ତରଞ୍ଜନ ଦାସ, ଉପେନ୍ଦ୍ର ଭଞ୍ଜ, ରୋମୀୟ ମହାପାତ୍ର, ସୁଜିତ ପାତ୍ର, କୁମୁଦବନ୍ଧୁ ଶତପଥି ଇତ୍ୟାଦି ନାଟ୍ଯମଞ୍ଚ କଳା ସହ ଜଡିତ ।
୨୦୧୦ ମସିହାରେ ଆଲ୍ଲାହାବାଦ ଠାରେ ହୋଇଥିବା ସର୍ବଭାରତୀୟ ବହୁଭାଷୀ ନାଟକ ପ୍ରତିଯୋଗିତାରେ ଜଣେ ଉତ୍ତମ ଶିଶୁ କଳାକାର ଭାବେ ପୁରସ୍କୃତ ହୋଇଥିବା ପ୍ରଣବ କୁମାର ପଣ୍ଡାଙ୍କ ନାମ ଏଠାରେ ଉଲ୍ଲେଖଯୋଗ୍ୟ । ପୁନଶ୍ଚ ସେ ୨୦୧୩ ମସିହାରେ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ଦ୍ଵାରା ସମ୍ମାନିତ ହୋଇଛନ୍ତି ।
ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ, ନାଟ୍ୟକଳା ପରିଷଦ, କଳିକା ଏବଂ ନବନାଟ୍ୟ ନିକେତନ ଆଦି ନାଟ୍ୟସଂସ୍ଥା ତାଙ୍କ ନିଜସ୍ଵ ଢଙ୍ଗରେ ନାଟକ ପ୍ରତିଯୋଗୀତା ଆୟୋଜନ କରିଥାନ୍ତି । ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ଦେବଗଡଠାରେ ସର୍ବଭାରତୀୟ ସ୍ତରରେ କ୍ଷୁଦ୍ର ନାଟକ ପ୍ରତିଯୋଗିତାର ଆୟୋଜନ କରିଆସୁଅଛି । କଲିକତା, ଆସାମ ଏବଂ ମଣିପୁର ଆଦି ରାଜ୍ୟର ବିଖ୍ୟାତ ନାଟ୍ୟଦଳ, ରାଜ୍ୟ ଭିତର ନାଟ୍ୟଦଳ ଏହି ନାଟକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରନ୍ତି । କୌଣସି ପେଷାଦାର ଦକ୍ଷତା ବା ବାଣିଜ୍ୟିକ ମାନ ସମ୍ବନ୍ଧୀୟ ଅଭିଜ୍ଞତା ନଥାଇ ମଧ୍ୟ ଏମାନେ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସେଥି ମଧ୍ୟରୁ ଏକ କ୍ଷୁଦ୍ର ଭିଡିଓ ଚଳଚ୍ଚିତ୍ର “ସବୁଜ ସକାଳ” ଅନ୍ଯତମ । କିଛି ବର୍ଷିୟାନ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଏବଂ ପ୍ରଯୋଜକମାନଙ୍କୁ ନେଇ “ସବୁଜ ସକାଳ” ଉତ୍ତୋଳିତ ହୋଇଥିଲା । ଦେବଗଡର ଅତୁଲ୍ୟ କୁମାର ପୂଜାରୀଙ୍କ ଦ୍ଵାରା ପାଉଡି ଭୂୟାଁ ଜନଜାତିମାନଙ୍କର ବିକାଶ ଉପରେ ଆଧାରିତ ଏକ ପ୍ରାମାଣିକ ଚଳଚ୍ଚିତ୍ର “ସର୍ଚ୍ଚ” ନିର୍ମାଣ କରଯାଇଥିଲା । ଏହା ତାମିଲନାଡୁର କନ୍ୟାକୁମାରୀ ଠାରେ ହୋଇଥିବା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ସେହି ପରି ସତ୍ୟବ୍ରତ ଦ୍ଵିବେଦୀଙ୍କ ଦ୍ଵାରା ନିର୍ମିତ ହୋଇଥିଲା ଅନ୍ଯତମ କଳାତ୍ମକ ଚଳଚ୍ଚିତ୍ର “ଆଦିଭୂମି” । ଭିଡିଓ ଚଳଚ୍ଚିତ୍ର ତଥା ସଙ୍ଗୀତ କ୍ୟାସେଟ୍ ପ୍ରସ୍ତୁତ କରିବାରେ ଅନ୍ୟଜଣେ ବ୍ୟକ୍ତି ଥିଲେ ପ୍ରେମାନନ୍ଦ ମାଝି । ଯାହାଙ୍କ ପ୍ରଚେଷ୍ଟାରେ ଅନେକ ଭିଡିଓ କ୍ୟାସେଟ୍ ତଥା ଭକ୍ତି ସଙ୍ଗୀତ କ୍ୟାସେଟ୍ ପ୍ରସ୍ତୁତ ହୋଇଥିଲା ।
କିଛି ନାଟ୍ଯ କଳାକାରବୃନ୍ଦ ସମ୍ବଲପୁର ରେଡିଓ ଷ୍ଟେସନରେ ସେମାନଙ୍କ ନାଟକ ପରିବେଷଣ କରିଥିଲେ । ସେମାନଙ୍କ ମଧ୍ୟରେ ଅର୍ଜୁନ ମୋହନ ସାହୁ ଏବଂ ହେମନ୍ତ ମହାପାତ୍ର ହେଲେ ମୁଖ୍ୟ କଳାକାର ।
ଆଧୁନିକ ଇଲେକ୍ଟ୍ରୋନିକ୍ସ ମିଡିଆର ବହୁଳ ବ୍ୟବହାର ହେବ ସତ୍ତ୍ୱେ ମଧ୍ୟ ପାରମ୍ପରିକ କଳାକାରମାନେ ସେମାନଙ୍କର କଳା ପ୍ରତି ଥିବା ଅନୁରାଗ ହେତୁ ପୁରୁଣା କଳା ପରମ୍ପରାକୁ ବଜାୟ ରଖିବାରେ ପ୍ରୟାସ ଜାରି ରଖିଛନ୍ତି । ଦାସକାଠିଆ, ପାରମ୍ପରିକ ଯୁଗଳ ନୃତ୍ୟ ପ୍ରାୟତଃ ଲୋପ ପାଇବାକୁ ବସିଲାଣି କିନ୍ତୁ ଅଦ୍ୟାବଧି କିଛି “ପାଲା” ପରିବେଷଣକାରୀ ପାଲାକୁ ତାଙ୍କର ଜୀବିକା ଭାବରେ ଗ୍ରହଣ କରିଛନ୍ତି । ପୁଲସୂରା ଗ୍ରାମର ବିଦ୍ଯାଧର ଖଡିରତ୍ନ, ପୁରୁଣାପାଣିର ବିମ୍ବାଧର ସାହୁ ପାଲାଗାୟନ ତଥା ଭକ୍ତି ପରମ୍ପରା କ୍ଷେତ୍ରରେ ଅତୁଳନୀୟ । ସେମାନଙ୍କର ଅଦ୍ୟମ ପ୍ରଚେଷ୍ଟାରେ ମନୋରଞ୍ଜନର ଏହି ପୁରାତନ ଧାରା ଏ ପର୍ଯ୍ୟନ୍ତ ଜୀବନ୍ତ ରହିବାରେ ସକ୍ଷମ ହୋଇପାରିଛି । ପୁରୁଣା ଜଳାଡ଼ିହି (ଆଧୁନିକ ତେନ୍ତଳାବାହାଳ) ର ବର୍ଷିୟାନ ପାଲାଗାୟକ ଶ୍ରୀଯୁକ୍ତ ରବିନାରାୟଣ ପଣ୍ଡା ତାଙ୍କର ପରିଣତ ବୟସରେ ମଧ୍ୟ ସକ୍ରିୟ ଭାବରେ ପାଲା ପରିବେଷଣ କରୁଛନ୍ତି ।
ଅନ୍ୟ ଏକ ପଥପ୍ରାନ୍ତ କଳା ପ୍ରଦର୍ଶନର ଧାରା ଥିଲା “କେନ୍ଦରା ଗୀତ” । ନାଥ ସମ୍ପ୍ରଦାୟର ଭିକ୍ଷୁକଗଣ ଗ୍ରାମ ମାନଙ୍କରେ ନାଥଯୋଗୀ ଭାବେ ଥିଲେ ପରିଚିତ । ସେମାନେ କେନ୍ଦରା ବଜାଇ “ଟୀକା ଗୋବିନ୍ଦ ଚନ୍ଦ୍ର” ତଥା ଅନ୍ୟ ପୌରାଣିକ କଥାବସ୍ତୁକୁ ପରିବେଷଣ କରୁଥିଲେ । ଗ୍ରାମାଞ୍ଚଳରେ ମହିଳାମାନେ ନାଥଯୋଗୀ ମାନଙ୍କ ପରିବେଷିତ କେନ୍ଦରା ଗୀତ ପ୍ରତି ଆକୃଷ୍ଠ ଥିଲେ । ଚକୁଳିଆ ପଣ୍ଡା ନାମକ ବ୍ରାହ୍ମଣମାନେ ଗ୍ରାମ ଗ୍ରାମ ବୁଲି ନାଥଯୋଗୀ ମାନଙ୍କ ଭଳି ପୌରାଣିକ କଥାବସ୍ତୁକୁ ଗୀତ ଆକାରରେ ଗାନ କରୁଥିଲେ । ଅଧୁନା ସମ୍ବଲପୁରୀ ନୃତ୍ୟ “ଡାଲଖାଇ” ଓଡିଶୀ ନୃତ୍ୟ ପରି ଆଧୁନିକ ସମାଜରେ ତାର ପ୍ରଭାବ ବିସ୍ତାର କରୁଛି ।
ଦଶହରା(ଦୂର୍ଗା ପୂଜା), ଲକ୍ଷ୍ମୀପୂଜା, କାଳୀପୂଜା, ଦୀପାବଳୀ, ଗଣେଶ ପୂଜା, ବିଶ୍ଵକର୍ମା ପୂଜା, ମହଶିବରାତ୍ରି, ଦୋଳ ଉତ୍ସବ ଇତ୍ୟାଦି ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳରେ ପାଳନ ହୋଇଥାଏ । କରମା (କରମାସାନି ପୂଜା), ଚୈତ୍ର ପର୍ବ, ଦେବୀ ମଙ୍ଗଳା, ହିଙ୍ଗୁଳା ଏବଂ ମା ଭୈରବୀ ପୂଜା ଜନଜାତି ଗଣ ତାଙ୍କ ନିଜସ୍ୱ ପରମ୍ପରାନୁସାରେ ପାଳନ କରିଥାନ୍ତି ।
ଦେବଗଡ ଜିଲ୍ଲାପାଳଙ୍କ ସଭାପତିତ୍ଵରେ ଜିଲ୍ଲା ସାଂସ୍କୃତିକ ବିଭାଗ, ବାର୍ଷିକ ସାଂସ୍କୃତିକ ଉତ୍ସବ ଭାବେ “ଉତ୍ସବ ପ୍ରଧାନପାଟ” ର ଆୟୋଜନ କରିଥାନ୍ତି । ଏହି ଉତ୍ସବରେ ଏକ ବଡ ଧରଣର ମେଳା ପ୍ରଧାନପାଟ ପ୍ରପାତର ପାଦଦେଶରେ ଆୟୋଜିତ ହୋଇଥାଏ । ନିମନ୍ତ୍ରିତ ରାଜ୍ୟ ଭିତର ତଥା ବାହାରର ବହୁ ସାଂସ୍କୃତିକ ଅନୁଷ୍ଠାନ ଏହି ଉତ୍ସବରେ ଅଂଶଗ୍ରହଣ କରିଥାନ୍ତି । ତିନିଦିନ ବ୍ୟାପୀ ପ୍ରତି ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ ସମସ୍ତ ଜିଲ୍ଲାବାସୀମାନଙ୍କ ପାଇଁ ଏକ ମନୋରଞ୍ଜନର ମାଧ୍ୟମ ହୋଇଥାଏ ।