ସାହିତ୍ଯ
ସାହିତ୍ୟିକ ପରମ୍ପରା
ଦେବତା ମାନଙ୍କର ଗଡ ଦେବଗଡ କଳା, ସାହିତ୍ଯ, ସଂସ୍କୃତି ରେ ବହୁ ପ୍ରସିଦ୍ଧି ଲାଭ କରିଛି । ଅତୀତରେ ବାମଣ୍ଡା (ବର୍ତ୍ତମାନର ଦେବଗଡ) କୁ ‘ଉତ୍କଳର ଉଜ୍ଜୟିନୀ ‘ ବୋଲି କୁହାଯାଉଥିଲା । ରାଜା ବିକ୍ରମାଦିତ୍ୟଙ୍କର ରାଜଦରବାରରେ ଯେପରି ପ୍ରସିଦ୍ଧ କବି କାଳିଦାସଙ୍କ ସମେତ ‘ନବରତ୍ନ’ ମଣ୍ଡନ କରିଥିଲେ, ଠିକ ସେହିପରି ଉନବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ରାଜା ବାସୁଦେବ ସୁଢଳଦେବ ଏବଂ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ରାଜତ୍ଵ ସମୟରେ ବହୁ କବି, ଲେଖକ ଏବଂ ପଣ୍ଡିତମାଙ୍କୁ ଦେବଗଡ ରାଜଦରବାର କୁ ଅତିଥି ଭାବରେ ଡକାଯାଇଥିଲା । ସେମାଙ୍କ ମଧ୍ୟରୁ ଅନେକଙ୍କୁ ସମ୍ମାନିତ କରଯାଇ ଉପାଧିମାନ ପ୍ରଦାନ କରଯାଇଥିଲା। ସେମାଙ୍କ ମଧ୍ୟରୁ ପ୍ରସିଦ୍ଧ କବି ରାଧାନାଥ ରାୟଙ୍କୁ “କବିବର” ଉପାଧି ଏବଂ ଫକୀରମୋହନଙ୍କୁ “ସରସ୍ଵତୀ” ସମ୍ମାନ ଦିଆଯାଇଥିଲା। ସ୍ଵଭାବ କବି ଗଙ୍ଗାଧର ମେହେର ଏବଂ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଆଦି କବି ସମ୍ମିଳନୀରେ ସମ୍ମାନିତ ହୋଇଥିଲେ। ଦେବଗଡ ଠାରେ ବହୁ କବି ସମ୍ମିଳନୀ ଓ ସାହିତ୍ଯ ଆଲୋଚନା କରାଯାଉଥିଲା,ଏଥି ଯୋଗୁ, ଓଡିଶାର ସାଂସ୍କୃତିକ ସ୍ତରରେ ଦେବଗଡକୁ “ବୁଧହଂସ କେଳିସର” ନାମରେ ପ୍ରସିଦ୍ଧ ଥିଲା । ଏହା ପଣ୍ଡିତ ରୂପୀ ହଂସ ମାନଙ୍କର ଲୀଳା ଭୂମି ଥିଲା । ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଏବେ ମଧ୍ୟ ପ୍ରଧାନ ପାଟ ଉତ୍ସବରେ ପ୍ରତି ବର୍ଷ ଏକ କବି ସମ୍ମିଳନୀ ଆୟୋଜନ କରାଯାଉଛି ।
ଅତୀତର ଲେଖକ ବୃନ୍ଦ
ପୁରାତନ ବାମଣ୍ଡା ରାଜ୍ୟ ରେ ବହୁ ସଂଖ୍ଯାରେ ପ୍ରଥିତଯଶା କବି ଏବଂ ଲେଖକ ଥିଲେ। ରାଜା ସାର ବାସୁଦେବ ସୁଢଳଦେବ ଥିଲେ ଅଗ୍ରଗଣ୍ୟ । ସୁଢଳଦେବଙ୍କର ନିଜସ୍ଵ କବିପ୍ରତିଭା ଥିଲା। ସେ ନିଜେ ଜଣେ କବି ଥିବା ସହ ବହୁ ଲେଖକ ମଧ୍ୟ ସୃଷ୍ଟି କରିଥିଲେ। ଅତୀତର ସାହିତ୍ଯ ପ୍ରତିଭା ସମ୍ପର୍କରେ ସାର ସୁଢଳଦେବଙ୍କ ଠାରୁ ଆରମ୍ଭ କରି ନିମ୍ନରେ ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରାଯାଇପାରେ।
ବାସୁଦେବ ସୁଢଳ ଦେବ
ସୃଜନଶୀଳ ସାହିତ୍ଯ ଏବଂ ସମାଲୋଚନାତ୍ମକ ସାହିତ୍ଯ ଉଭୟର ସେ ଥିଲେ ପ୍ରଶଂସକ ଏକ ଅନୁରାଗୀ । ବହୁ ଗୁଣୀ ଜ୍ଞାନୀ , ପଣ୍ଡିତ, କବି ଏବଂ ଶାସ୍ତ୍ରୀୟ ପଣ୍ଡିତ ବା ପୁରୋହିତ ମାନଙ୍କ ସାନ୍ନିଧ୍ୟ ଲାଭ ପାଇଁ ସେ ଆଗ୍ରହୀ ଥିଲେ ଏବଂ ଆନନ୍ଦ ଲାଭ କରୁଥିଲେ। ସେ ଉଭୟ ଓଡିଆ ଓ ସଂସୃତ କାବ୍ଯ ଓ କବିତା ସୃଷ୍ଟି କରିଥିଲେ।ଆହୁରି ସଂସ୍କୃତ ସାହିତ୍ଯର କାବ୍ଯ କବିତା ଅନୁବାଦ ମଧ୍ୟ କରିଥିଲେ। ତାଙ୍କର ମହାନ ସୃଷ୍ଟି ସମୂହ ଗୁଡିକ ହେଲା-ଅଳଙ୍କାର ବୋଧଦୟ,ଚିତ୍ରୋତ୍ପଳା ,ବୀରବାମା, ଜହ୍ନମାମୁ, ମୁକ୍ତିକୋପନିଷଧ (ଓଡିଆ ଅନୁବାଦ) ମଣିରତ୍ନମଳା (ଓଡିଆ ଅନୁବାଦ) ଏବଂ ଶ୍ରମଶିକ୍ଷା ଇତ୍ୟାଦି। ଓଡିଆ ସାହିତ୍ଯ ର ଉନ୍ନତି ଏବଂ ଓଡିଆ ଭାଷା ର ବିକାଶ ପାଇଁ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଯେତେବେଳେ କି ସେ ପଡୋଶୀ ରାଜ୍ୟ ବଙ୍ଗଳା ର ଲେଖକ ଓ ପଣ୍ଡିତଙ୍କର ସାନ୍ନିଧ୍ୟ ଲାଭ କରିଥିଲେ।
ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ
ସାର ବାସୁଦେବ ସୁଢଳଦେବଙ୍କ ଉତ୍ତରଦାୟକ ସଚ୍ଚିଦାନନ୍ଦ ଦେବ ଯୋଗ୍ୟ ପିତାର ଯୋଗ୍ୟ ସନ୍ତାନ ଥିଲେ। ତାଙ୍କର ରାଜତ୍ଵ କାଳରେ ବାମଣ୍ଡାର ସର୍ବବିଧ ଉନ୍ନତି ହୋଇଥିଲା। ପିତୃଦେବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ରାଜକାର୍ଯ୍ୟ ସମ୍ପାଦନ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ,ପୂର୍ତ୍ତ, ପ୍ରଶାସନ, ସାହିତ୍ଯ ସଂସ୍କୃତି ପ୍ରଭୁତି ବିଭିନ୍ନ ଦିଗରେ ଅଗ୍ରଗତି କରିଥିଲେ। ବହୁ ବ୍ୟସ୍ତତା ମଧ୍ୟରେ ବି ତାଙ୍କର ସାହିତ୍ଯ ପ୍ରତି ଅନୁରାଗ ଥିଲା। ତାଙ୍କ ସମୟ ରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ସାହିତ୍ୟିକ ସମାବେଶ ହୋଇଥିଲା। ସେ ନିଜେ ଜଣେ ସାହିତ୍ଯକ ଥିଲେ। ତାଙ୍କର ସୃଷ୍ଟ ସାହିତ୍ଯ ଗୁଡିକ ହେଉଛି, ମାୟାଶର୍ବରୀ, ଅନଙ୍ଗ, ରସରହସ୍ୟ, ଅଳଙ୍କାର ସାର , କାଦମ୍ବରୀ, ଯୌନ ନିର୍ବାଚନ, ବୃଷ୍ଟି ବିଜ୍ଞାନ ଇତ୍ୟାଦି।
ଭୁବନେଶ୍ବର ବଡପଣ୍ଡା
ସେ ଟିଗିରିଆରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କର ପରିବାରର ମୂଳ ନାମ ମିଶ୍ର ଥିଲା । ବିଭିନ୍ନ ସାହିତ୍ୟିକ ପ୍ରତିଭା ଓ ପାଣ୍ଡିତ୍ୟରେ ଟିଗିରିଆ ରାଜାଙ୍କୁ ପ୍ରଭାବିତ କରି ବଡପଣ୍ଡା ଉପାଧି ଲାଭ କରିଥିଲେ । ତତ୍କାଳୀନ ଓଡିଶାରେ ସେ ଜଣେ ବଡ ପଣ୍ଡିତ ଭାବରେ ଥିଲେ ଅଗ୍ରଗଣ୍ୟ । ସେ ରାଜକୁମାର ବାସୁଦେବ ସୁଢଳଦେବଙ୍କ ଘରୋଇ ଶିକ୍ଷକ ଥିଲେ । ସେ ରଚନା କରିଥିଲେ ‘ବାମଣ୍ଡା ରାଜବଂଶନୁଚରିତ ଚମ୍ପୁ ‘ ଏବଂ ‘ଚିତ୍ରୋତ୍ପଳା ଚମ୍ପୁ’, ପ୍ରସିଦ୍ଧ କବି ସୂର୍ଯ୍ୟ ବଳଦେବ ରଥ ଙ୍କର ‘କିଶୋର ଚନ୍ଦ୍ରାନନ ଚମ୍ପୁ’ ପରମ୍ପରାନୁସାରେ । ଆହୁରି ମଧ୍ୟ ସଂସ୍କୃତ ଶ୍ଳୋକ ଗୁଡିକୁ ଓଡିଆ ଅନୁବାଦ କରିବାରେ ତାଙ୍କର ଅବଦାନ ଥିଲା ମହାନ । ବାମଣ୍ଡା ଦରବାରରେ ଆୟୋଜିତ ସଭାରେ ସେ ସଭାପତିତ୍ଵ କରୁଥିଲେ । ଆଧୁନିକ ଓଡିଆ କବି ରାଧାନାଥ ରାୟଙ୍କୁ ‘କବିବର’ ଉପାଧିରେ ଭୂଷିତ କରଯାଇଥିଲା ଏବଂ ଭୁବନେଶ୍ବର ବଡପଣ୍ଡାଙ୍କୁ ‘ବକୁଳ କବି’ ଭାବରେ ଏ ଦରବାର ସମ୍ମାନିତ କରିଥିଲା ।
ମଧୁସୂଦନ ମିଶ୍ର ତର୍କ ବାଚସ୍ପତି
ପୁରୀ ଜିଲ୍ଲାର ବୀର ବଳଭଦ୍ରପୁର ଶାସନ ରୁ ସେ ଆସିଥିଲେ । ସେ ବାମଣ୍ଡା ରେ ଦୀର୍ଘ ଦିନ ଧରି ଅବସ୍ଥାନ କରିଥିଲେ । ରାଜକୁମାର ସଚ୍ଚିଦାନନ୍ଦଙ୍କୁ ସେ ସୂକ୍ଷ୍ମାତିସୂକ୍ଷ୍ମ ବେଦାନ୍ତ ଶିକ୍ଷା ଦେଇଥିଲେ । କାଳିଦାସଙ୍କ ମହାନ ସୃଷ୍ଟି ‘ଅଭିଜ୍ଞାନ ଶାକୁନ୍ତଳମ୍’, ‘ସାହିତ୍ଯ ଦର୍ପଣ’, ‘ଅଳଙ୍କାର ଚନ୍ଦ୍ରିକା’ ଏବଂ ‘ମୁରାରୀ ଚନ୍ଦ୍ରଲୋକ’ର ଉପକ୍ରମଣିକା ସେ ରଚନା କରିଥିଲେ ।
ସାହିତ୍ଯ ଜଗତକୁ ଉଭୟ ଓଡିଆ ଏବଂ ସଂସ୍କୃତ ରେ ତାଙ୍କର ଅବଦାନ ଗୁଡିକ ହେଲା ମହାକାବ୍ୟ ସଦୃଶ ‘ହନୁମନ୍ତ ସନ୍ଦେଶମ୍’, ‘ତାରା ଶଶାଙ୍କ’, ‘ଲକ୍ଷଣ ଶତକମ୍’, ‘ହସ୍ତୀ ଶତକମ୍’, ‘ସୋମନାଥ ଶତକମ୍’, ‘ଅଭିନବ ଶତକମ୍’, ‘ଉତ୍ସବ’, ଚମ୍ପୁ ଇତ୍ୟାଦି । ୧୮୯୮ ଓ ୧୯୦୧ ମସିହା ମଧ୍ୟରେ ତାଙ୍କର ଅନ୍ଯାନ୍ଯ ସଂସ୍କୃତକୃତି ଗୁଡିକ ମଧ୍ୟରେ ‘ଗଦାଧର ପଦ୍ଧତି ‘, ‘ସାହିତ୍ଯ ରତ୍ନାକର’, ‘ଧନ୍ୟଲୋକ’ ଇତ୍ୟାଦି ପ୍ରଣିଧାନ ଯୋଗ୍ୟ ।
କାଳିଚରଣ ଦ୍ଵିବେଦୀ
ପୁରୀରୁ ଆସିଥିବା ଦେବଗଡର ପୁରୁଣା ଦ୍ଵିବେଦୀ ପରିବାରର ଦାୟାଦ କାଳିଚରଣ ଦ୍ଵିବେଦୀ । ରାଜସଭାର ପଣ୍ଡିତମାନଙ୍କ ମଧ୍ୟରୁ ସେ ଥିଲେ ଅନ୍ଯତମ । ବୃତ୍ତିରେ ସେ ଥିଲେ ଶିକ୍ଷକ । ଗଦ୍ୟରଚନାରେ ତାଙ୍କର ଅବଦାନ ଗୁଡିକ ହେଉଛି ‘ବିଧବାର ଏକାଦଶୀ’, ସମୀକ୍ଷା, ବୈଦେହୀଶ ବିଳାସ(କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ମହାନ ସୃଷ୍ଟି ନୁହେଁ), ରୁଚି ସଂସ୍କାର, ଦର୍ପଣର ଦର୍ପଣତ୍ଵ ଇତ୍ୟାଦି, ଯାହାକି ୧୮୯୨ ରୁ ୧୯୦୫ ମଧ୍ୟରେ ପ୍ରକାଶ ପାଇଥିବା ପତ୍ରିକା ‘ସମ୍ବଲପୁର ହିତୈଷିଣୀ’ ରେ ବିଭିନ୍ନ ସଙ୍କ୍ରାନ୍ତରେ ପ୍ରକାଶିତ ହୋଇଥିଲା । କାଳିଚରଣ ଦ୍ଵିବେଦୀଙ୍କ ନିଜର ଦୁଇଟି ପୁସ୍ତକ ଥିଲା ତାଙ୍କର ଗୌରବ । ୧୮୮୬ ମସିହାର ‘ନୀତିସାର’ ଏବଂ ‘ନିଆଳି’ । ଏସବୁ ସତ୍ତ୍ୱେ ରାଜା ସାର୍ ବାସୁଦେବ ସୁଢଳଦେବଙ୍କର ‘ଚଣ୍ଡୀ’ ରେ ସେ ସମ୍ପାଦକ ଥିଲେ ଯାହା ୧୮୮୯ ମସିହାରେ ଜଗନ୍ନାଥ ବଲ୍ଲଭ ପ୍ରେସ୍ ରେ ମୁଦ୍ରିତ ହୋଇ ପ୍ରକାଶିତ ହୋଇଥିଲା । ରାଜକୁମାର ସଚ୍ଚିଦାନନ୍ଦ ଦେବଙ୍କର ସେ ଶିକ୍ଷକ ଥିବା ସତ୍ତ୍ୱେ ବାମଣ୍ଡା ରାଜ୍ୟରେ ଥିବା ମନ୍ଦିର ମାନଙ୍କର ମୁଖ୍ୟ ପୁରୋଧା ଭାବେ ନିଯୁକ୍ତି ପାଇଥିଲେ ।
ଭାଗୀରଥୀ ରଥ
ବାମଣ୍ଡା ରାଜାଙ୍କ ଦ୍ଵାରା ପୁରୀରୁ ନିମନ୍ତ୍ରିତ ହୋଇ ଦେବଗଡକୁ ଆସିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହିଠାରେ ବସବାସ କରିଥିଲେ । ସେ ରାଜକୁମାର ଉଚ୍ଚ ବିଦ୍ୟାଳୟରେ ୧୮୯୩ ମସିହାରୁ ଶିକ୍ଷକତା କରୁଥିଲେ । ତାଙ୍କର ସୃଷ୍ଟି ‘ଶରତ ସୁନ୍ଦରୀ’, ‘ପଦ୍ମାବତୀ ପରିଣୟ’, ‘ଉତ୍କଳ ଚରିତ’ ପାଇଁ ସେ ସ୍ମରଣୀୟ । ତାଙ୍କର ସଂସ୍କୃତରେ ରଚିତ ପୁସ୍ତକଦ୍ୱୟ ‘ମାନସ ପ୍ରସାଦିନୀ’ ଏବଂ ‘ଅଳଙ୍କାର ମୀମାଂସା’ ମଧ୍ୟ ଏଠାରେ ଉଲ୍ଲେଖଯୋଗ୍ୟ ।
ସୁଦର୍ଶନ ମିଶ୍ର – ନ୍ୟାୟରତ୍ନ
ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ । ଓଡିଆ ଓ ସଂସ୍କୃତ ଉଭୟ ସାହିତ୍ୟରେ ସେ ବେଶ ଜଣାଶୁଣା । ଶ୍ଳୋକ, ଚମ୍ପୁ, ‘ଶିବସ୍ତବ’, ‘ଦେବୀସ୍ତୃତି’, ‘ଆତ୍ମବୋଧ ବିଳାପ’ ଏବଂ ‘ମଙ୍ଗଳ ଗୀତିକା’ ଇତ୍ୟାଦି ତାଙ୍କର ସୃଷ୍ଟି । ‘ସମ୍ବଲପୁର ହିତୈଷିଣୀ’ ରେ ତାଙ୍କର ଅବଦାନ ଥିଲା ନୈତିକ ।
ଚିନ୍ତାମଣି ମିଶ୍ର ଶର୍ମା
ଚିନ୍ତାମଣି ମିଶ୍ର ବାମଣ୍ଡା ରାଜସଭାର ଅନ୍ଯତମ ପ୍ରଧାନ ସଦସ୍ୟ ଥିଲେ । ତତ୍କାଳୀନ ସମୟରେ ରାଜା ସାର୍ ବାସୁଦେବ ସୁଢଳଦେବଙ୍କର ମୂଲ୍ଯବାନ କାବ୍ଯ ‘ଚିତ୍ରୋତ୍ପଳା’ କୁ ଆଧାର କରି ଚିନ୍ତାମଣି ମିଶ୍ର ‘ଚିତ୍ରୋତ୍ପଳାର ଦୋଷ ପରିହାର’ ନାମକ ଏକ ଗଦ୍ୟାତ୍ମକ ଆଲୋଚନା ରଚନା କରିଥିଲେ ।
ବ୍ରଜବନ୍ଧୁ ମିଶ୍ର
ବ୍ରଜବନ୍ଧୁ ମିଶ୍ର ତାଳଚେର ଠାରେ ଜନ୍ମ ଗ୍ରହଣ କରିଥିଲେ । ୧୮୯୯ ରେ ଦେବଗଡକୁ ଆସି ଜୀବନର ଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ । ବୃତ୍ତିରେ ସେ ଥିଲେ ଜଣେ ଶିକ୍ଷକ ଏବଂ ବାମଣ୍ଡା ପଣ୍ଡିତ ସଭାର ଜଣେ ସକ୍ରିୟ ସଦସ୍ୟ । ସେ ଏକ ଶହରୁ ଉର୍ଦ୍ଧ୍ଵ ପୁସ୍ତକ ରଚନା କରିଥିଲେ । ବସନ୍ତ ମାଳତୀ (୧୯୦୨), ଉପଧା ବିଚାର (୧୯୧୩) ଏବଂ ଉପଧା ଅନିଶତ ଚିନ୍ତା (୧୯୧୪) ଇତ୍ୟାଦି ତାଙ୍କର ବିଶିଷ୍ଟ ସୃଷ୍ଟି ଥିଲା । ତାହା ସହିତ ଦୁର୍ଗାସ୍ତବ, ଶ୍ରୀକୃଷ୍ଣ ସ୍ତବ, କୀଚକ ବଧ, ଭୀଷ୍ମ ଶରଶଯ୍ୟା, ବଳୀବଧ, କୁସୁମଲତା, ନବ ସଙ୍ଗୀତ, ସୁଢଳ ଚଉତିଶା ଇତ୍ୟାଦି ତାଙ୍କର ପଦ୍ୟାତ୍ମକ ସୃଷ୍ଟି ଥିଲା । ସେ ଉଭୟ ପ୍ରାଚୀନ, ମଧ୍ୟ ଏବଂ ଆଧୁନିକ କାବ୍ୟଶୈଳୀକୁ ଗ୍ରହଣ କରିଥିଲେ । ପୁନଶ୍ଚ ସେ ସମ୍ବଲପୁର ହିତୈଷିଣୀ ର ସମ୍ପାଦନ ମଣ୍ଡଳୀରେ ଅଂଶଗ୍ରହଣ କରିଥିଲେ ।
ରତ୍ନାକର ଶର୍ମା
ବାମଣ୍ଡା ରାଜ୍ୟର କୁଚିଣ୍ଡାର ଲୋକ ଥିଲେ । ତାଙ୍କର ମାଧ୍ଯମିକ ବିଦ୍ୟାଳୟ ଅଧ୍ୟୟନ ପରେ ଦେବଗଡକୁ ଆସି ଶିକ୍ଷକତା କରୁଥିଲେ । ଜୀବନର ଆଦ୍ଯ ଭାଗରେ ସେ ବହୁ କବିତା ରଚନା କରି ସମ୍ବଲପୁର ହିତୈଷିଣୀ ରେ ପ୍ରକାଶ କରୁଥିଲେ । ୧୯୧୦ ମସିହାରେ ସମ୍ବଲପୁର ହିତୈଷିଣୀ ର ସମ୍ପାଦକ ଦାୟିତ୍ଵରେ ରହିଥିଲେ । ତାଙ୍କର ରଚିତ ଓ ପ୍ରକାଶିତ ସୃଷ୍ଟି ଗୁଡିକ ମଧ୍ୟରେ ‘ହେମଲତା’, ‘ଅଜା ବିଳାପ’, ‘ନୀତି ଦର୍ପଣ’, ‘ନୀତି କୁସୁମ’, ‘ସଞ୍ଜୁକ୍ତା’, ‘ଚମ୍ପାବତୀ’, ‘ବାପାଲିମା’, ‘ଦୁଇ ସଙ୍ଗାତ’ ପାଠକମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ଖଡିଆଳ ଯୁବରଜ ବୀର ବିକ୍ରମ ଦେବଙ୍କ ଦ୍ଵାରା ତାଙ୍କର ଅର୍ଥଯୁକ୍ତ ଓ ଭାବପୂର୍ଣ୍ଣ ସୃଷ୍ଟି ‘ନୀତି ଦର୍ପଣ’ ପାଇଁ ସେ ସମ୍ମାନିତ ହୋଇଥିଲେ । ବଡଖେମୁଣ୍ଡି ରାଜଦରବାର ତାଙ୍କୁ “କବି ଭୂଷଣ” ଉପାଧିରେ ଭୂଷିତ କରିଥିଲା ଏବଂ କାଶୀପୁର ର ରାଜା ତାଙ୍କର ସାହିତ୍ୟିକ ଅବଦାନ ପାଇଁ ତାଙ୍କୁ ‘ସାହିତ୍ଯ ଅଳଙ୍କାର’ ଉପାଧିରେ ମଣ୍ଡିତ କରିଥିଲେ ।
କେବଳ ରାଜାରାଜୁଡା ସମୟ ନୁହେଁ, ସ୍ଵାଧୀନତା ଲାଭ ପରେ ମଧ୍ୟ ବାମଣ୍ଡା(ଦେବଗଡ) ତାହାର ସାହିତ୍ୟିକ ପରମ୍ପରା ବଜାୟ ରଖି ଆସିଛି । ଏ ଦିଗରେ ବହୁ ସାହିତ୍ୟିକ ଅନୁଷ୍ଠାନ ଓ ସଂଘ ଗଠିତ ହେବା ସହ ସାହିତ୍ଯ ସାଧନା କରି ଆସୁଅଛି ।
ବର୍ତ୍ତମାନର ଦେବଗଡ ଜିଲ୍ଲାରେ ଥିବା ସାହିତ୍ୟିକ ଅନୁଷ୍ଠାନ
ଶ୍ରୀ ଜଗନ୍ନାଥ ସାହିତ୍ଯ ସଂସଦ, ଦେବଗଡ
ବାମଣ୍ଡା ସାହିତ୍ଯ ସଂସଦ, ଦେବଗଡ
ରାଧାକୃଷ୍ଣ ସାହିତ୍ଯ ସଂସଦ, ରେଙ୍ଗାଲବେଡା
ପତିତପାବନ ସାହିତ୍ଯ ସଂସଦ, କଣ୍ଢଳ
ନବଦିଗନ୍ତ ସାହିତ୍ଯ ସଂସଦ, ରିଆମାଳ
ଗ୍ରନ୍ଥାଳୟ ଏବଂ ପାଠାଗାର
ବହୁ ବର୍ଷ ତଳେ ଗ୍ରାମ ସ୍ତରରେ କିଛି ଗ୍ରନ୍ଥାଳୟ ରହିଥିଲା । ଏଠି ମଧ୍ୟରୁ ଜଡାଗୋଳା ଶାସନରେ ଥିବା ‘ଆର୍ତ୍ତତ୍ରାଣ ଗ୍ରନ୍ଥାଳୟ’ ବହୁତ ଜଣାଶୁଣା ଥିଲା । ମାତ୍ର ଦୁର୍ଭାଗ୍ୟ ବଶତଃ ୧୯୬୫ ମସିହାରେ ଆକସ୍ମିକ ଅଗ୍ନି ଦୁର୍ଘଟଣା ଯୋଗୁଁ ଏହା ଧ୍ଵଂସ ପାଇ ଯାଇଥିଲା ।
ସଚ୍ଚିଦାନନ୍ଦ ଗ୍ରନ୍ଥାଳୟ
ଦେବଗଡ ସହର ମଧ୍ୟରେ ବାମଣ୍ଡା ରାଜାମାନଙ୍କ ତତ୍ତ୍ବାବଧାନରେ ନିର୍ମିତ ଏହି ଗ୍ରନ୍ଥାଳୟଟି ବର୍ତ୍ତମାନ ମଧ୍ୟ ଚଳଚଞ୍ଚଳ ରହିଛି । ବର୍ତ୍ତମାନ, ଏହା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ରହିଛି । ଅତୀତ ଓ ବର୍ତ୍ତମାନ ସମୟର ବହୁ ପ୍ରତିଷ୍ଠିତ ଲେଖକ ଓ କବିମାନଙ୍କର ରଚିତ ବହୁ ମୂଲ୍ଯବାନ ପୁସ୍ତକ ଏଠାରେ ଉପଲବ୍ଧ । ଛାତ୍ର, ପଣ୍ଡିତ ତଥା ଗବେଷକମାନେ ଏଠାରେ ଆସି ଜ୍ଞାନଲାଭର ସୁଯୋଗ ପାଇଥାନ୍ତି । ଗ୍ରନ୍ଥାଳୟ ସହ ଏକ ପାଠାଗାର ସଂଯୁକ୍ତ ହୋଇ ରହିଛି । ସ୍ଥାନୀୟ ଆବାଳବୃଦ୍ଧବନିତା ଏଠାରେ ପ୍ରତ୍ଯେହ ପୁସ୍ତକ, ପତ୍ରିକା ତଥା ସଂବାଦପତ୍ର ଅଧ୍ୟୟନ କରିବା ପାଇଁ ଆସିଥାନ୍ତି ।
ସାହିତ୍ୟିକ ସାମୟିକ ପତ୍ରିକା ଏବଂ ପ୍ରକାଶନ
ରାଜା ସାର ବାସୁଦେବ ସୁଢଳ ଦେବ ଏବଂ ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ରାଜତ୍ଵ ସମୟରେ ବହୁ ସାହିତ୍ୟିକ ପତ୍ରିକା ପ୍ରକାଶିତ ହେଉଥିଲା । ‘ସମ୍ବଲପୁର ହିତୈଷିଣୀ’ ସେମାନଙ୍କ ମଧ୍ୟରୁ ଅନ୍ଯତମ ପ୍ରସିଦ୍ଧ ପତ୍ରିକା । ସାହିତ୍ୟିକ ବିକାଶ ନିମନ୍ତେ ଏହି ପତ୍ରିକା ବହୁ ପ୍ରଭାବଶୀଳ ଥିବାର ପ୍ରମାଣ ମିଳେ । ସାହିତ୍ୟିକ ସୃଷ୍ଟି, ନୂତନ ସଚେତନତା, ଐକ୍ୟବଦ୍ଧତା ସୃଷ୍ଟି କରିବାରେ ଏହା ଥିଲା ସହାୟକ ।
ପୁସ୍ତକ ଓ ପତ୍ରିକାକୁ ବାଦ୍ ଦେଇ ଦେବଗଡରୁ ଓଡିଆ, ବଙ୍ଗାଳୀ ଏବଂ ଇଂରାଜୀ ରେ ୧୮ ଗୋଟି ପତ୍ରପତ୍ରିକା ପ୍ରକାଶିତ ହେଉଛି । ଏସବୁ ଜିଲ୍ଲାସାରା ପାଠକମାନଙ୍କ ପାଇଁ ଗ୍ରନ୍ଥାଳୟମାନଙ୍କୁ ଯୋଗାଇ ଦିଆଯାଇଥାଏ । ୧୮୬୬ ମସିହାରେ ଗୌରୀଶଙ୍କର ରାୟ ଏବଂ ବିଚିତ୍ରାନନ୍ଦଙ୍କ ସହଯୋଗରେ ବହୁ ଜନପ୍ରିୟ ପତ୍ରିକା ‘ଉତ୍କଳ ଦୀପିକା’ ପ୍ରକାଶିତ ହେଉଥିଲା । ବିଚିତ୍ରାନନ୍ଦ ଶ୍ରୀଯୁକ୍ତ ଟି.ଇ. ରେଭେନ୍ସାଙ୍କ ସେକ୍ରେଟାରୀ(ସଭାପତି) ଥିଲେ । ପରେ ପରେ ସେ ଓଡିଶାର ମୁଖ୍ୟ ଆୟୋଗ ହୋଇଥିଲେ । ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ‘ଉତ୍କଳ ମଧୂପ’ (୧୯୦୦) ଏବଂ ‘ସମ୍ବଲପୁର ହିତୈଷିଣୀ’ (୧୮୮୯) ପ୍ରକାଶିତ ହେଉଥିଲା । ଶ୍ରୀ ସାଧୁଚରଣ ଜଗଦେବଙ୍କ ସମ୍ପାଦନାରେ ଅନ୍ୟ ଏକ ପତ୍ରିକା ‘ଉପହାର’ (୧୯୩୪) ରେ ବାମଣ୍ଡା ରାଜ୍ୟରେ ପ୍ରକାଶ ପାଇଥିଲା । ୧୯୪୫ ମସିହାରେ ଡକ୍ଟର ମାୟାଧର ମାନସିଂଙ୍କ ସମ୍ପାଦନାରେ ‘ଶଙ୍ଖ’ ପ୍ରକାଶିତ ହୋଇଥିଲା ।
ବର୍ତ୍ତମାନ ସମୟରେ ରାଧାକୃଷ୍ଣ ସାହିତ୍ଯ ସଂସଦ, ରେଙ୍ଗାଲବେଡା ଦ୍ଵାରା ପ୍ରକାଶିତ ଯଥାକ୍ରମେ ‘ପଦରେଣୁ’ ଏବଂ ‘ଅମୃତବିନ୍ଦୁ’ ବାର୍ଷିକ ପତ୍ରିକା ତଥା ପତିତପାବନ ସାହିତ୍ଯ ସଂସଦ, କଣ୍ଢଳ ଦ୍ଵାରା ପ୍ରକାଶିତ ତ୍ରୈମାସିକ ପତ୍ରିକା ‘ଜ୍ଞାନ ସାରଥି’ ଜିଲ୍ଲାର ସାହିତ୍ୟିକ ପରମ୍ପରା ବଜାୟ ରଖିଛି ।