ହସ୍ତଶିଳ୍ପ
ଜିଲ୍ଲାର ବିଭିନ୍ନ ଭାଗରେ କୌଳିକ ବୃତ୍ତି ହିସାବରେ କୁମ୍ଭାର କାର୍ଯ୍ୟ, ବାଉଁଶରୁ ତିଆରି ହସ୍ତଶିଳ୍ପ, ଟେରାକୋଟା, ଢୋକ୍ରା, ସିମେଣ୍ଟ ଟାଇଲ ତିଆରି ଆଦି ଦେଖାଯାଏ । ବର୍ତ୍ତମାନ ସମୟରେ ହସ୍ତଶିଳ୍ପୀ ମାନେ ଆଧୁନିକତାକୁ ଆଦରି ନେଇ ସେମାନଙ୍କ କଳା ଚାତୁର୍ଯ୍ୟର ଅନେକ ଉନ୍ନତି ଆଣୁଛନ୍ତି, ଯଦ୍ୱାରା ସେମାନେ ବର୍ତ୍ତମାନ ସମୟର ବଜାରରେ ତିଷ୍ଠି ରହିପାରିବେ । ଅଧୁନା ରିଆମାଳରେ ଏକ ମୃତ୍ତିକା ନିର୍ମିତ ଜଳଛଣା ଯନ୍ତ୍ର ନିର୍ମିତ ହେଉଛି, ଯାହାର ବହୁତ ଚାହିଦା ରହିଛି । ଦେବଗଡ ଜିଲ୍ଲା ଗଠିତ ହେବା ପରେ ବମ୍ପରଡା, ରିଆମାଳ, ବଡ ଛାପଲ ଅଞ୍ଚଳର ୨୨୦ ଜଣ ଶିଳ୍ପୀଙ୍କୁ ତାଲିମ ତଥା ଆର୍ଥିକ ସାହାଯ୍ୟ ଦିଆଯାଇ ସେମାନଙ୍କୁ ସ୍ବାବଲମ୍ବୀ କରାଯାଇପାରିଛି ।
ନିମ୍ନରେ ଦିଆଯାଇଥିବା ସାରଣୀରେ ଦେବଗଡ ଜିଲ୍ଲାରେ ଥିବା ବିଭିନ୍ନ ବର୍ଗର ଶିଳ୍ପ ସଂସ୍ଥା ବିଷୟରେ ଉଲ୍ଲେଖ କରାଗଲା ।
କ୍ର.ନ. | ଶିଳ୍ପ ବର୍ଗ | ସଂଖ୍ୟା |
---|---|---|
୧ | କୁଟୀର ଓ ହସ୍ତ ଶିଳ୍ପ | ୨୦୦ |
୨ | ଅତି କ୍ଷୁଦ୍ରଶିଳ୍ପ | ୨୧୨ |
୩ | କ୍ଷୁଦ୍ର ଶିଳ୍ପ | ୭ |
୪ | ମଧ୍ୟମ ଶିଳ୍ପ | ୩ |
ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକ ତୁଳନାରେ, ଏହି ଜିଲ୍ଲାରେ କୌଣସି ବୃହତ ଶିଳ୍ପ ସଂସ୍ଥା ନାହିଁ , ଯାହାକି ଜିଲ୍ଲାର ଲୋକମାନଙ୍କ ଆୟ ଓ ସାଧାରଣ ଅର୍ଥନୈତିକ ଅବସ୍ଥା ଉପରେ ପ୍ରଭାବ ପକାଉଛି । ଜିଲ୍ଲା ଭିତରେ ଆୟ ପନ୍ଥାର ଅଭାବ ଯୋଗୁଁ ଶିଳ୍ପୀ ବର୍ଗ ତଥା ଅଣକୁଶଳୀ ଜନତାଙ୍କ ଅନ୍ୟ ସ୍ଥାନକୁ ଜୀବିକା ଅର୍ଜ୍ଜନ ପାଇଁ ଯିବା ଦ୍ଵାରା ମଧ୍ୟ ଜିଲ୍ଲାର ଅର୍ଥନୀତି ଉପରେ ଏହାର କୁପ୍ରଭାବ ପଡୁଛି ।